ପାତ୍ରପୁର: ଯୁବକଙ୍କୁ ଛୁରି ଭୁଶି ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରାଡ଼ା ଥାନା ଅନ୍ତର୍ଗତ ଜରଡ଼ା ହରିଜନ ସାହିରେ ଗତକାଲି ରାତିରେ ଜଣେ ଯୁବକ ଆଉ ଜଣେ ଯୁବକଙ୍କୁ ଛୁରି ଭୁଶି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଗାଁ ଲୋକଙ୍କ ଭୟରେ ଅଭିଯୁକ୍ତ ଆସି ଜରଡ଼ା ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅପରପକ୍ଷେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ଥାନାରୁ ଛଡ଼ାଇନେଇ ଦଣ୍ଡ ଦେବା ପାଇଁ ଥାନା ଘେରାଉ କରିଥିଲେ। ମାତ୍ର ପୁଲିସ ଅଭିଯୁକ୍ତଙ୍କୁ ସୁରକ୍ଷିତ ଭାବେ ଅଟକ ରଖିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜରଡ଼ା ଗ୍ରାମର ରଜତ ନାୟକ କୋଲକାତାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଗତ ପ୍ରାୟ ୬ ମାସ ତଳେ ପାରିବାରିକ କଳହକୁ ନେଇ ଗ୍ରାମର ସୁରତ ନିମେଇ(୨୫ ବର୍ଷ) ରଜତ ଓ ତାଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣରେ ଗିରଫ ହୋଇ ସୁରତ ପ୍ରାୟ ୨ ମାସ ଜେଲରେ ରହିବା ପରେ ଜାମିନ୍‌ରେ ଖଲାସ ହୋଇଥିଲେ। ତେବେ ଏହି ଘଟଣା ପରେ ରଜତ କୋଲକାତା ଯାଇ ସେଠାରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଗତ ରବିବାର ଦିନ ଗାଁରେ ହେଉଥିବା ଠାକୁରାଣୀ ଯାତ୍ରା ପାଇଁ ରଜତ ଗାଁକୁ ଫେରିଥିଲେ। ଆଉ ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସୁରତ ପୂର୍ବ ରାଗ ରଖି ରଜତଙ୍କୁ ଛୁରି ଭୁଶି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର