ଭଦ୍ରକ: ବାରମ୍ବାର ବିବାହକୁ ବାରଣ କରିବାରୁ ଶଳାକୁ ହାଣି ହତ୍ୟା କଲା ଭିଣୋଇ, ଉତ୍ତ୍ୟକ୍ତ ଲୋକେ ପୋଡିଦେଲେ ଘର, ଅଟୋ

ଭଦ୍ରକ: ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରିପୁର ପଞ୍ଚାୟତର ସଇଦାବାଦ ଗାଁରେ ଘଟିଛି ଏକ ଅଭାବନୀୟ ଘଟରା। ଭିଣୋଇ ଗୋଟିଏ ନୁହେଁ, ୫ଟି ବିବାହ କରିବାରୁ ଏହାକୁ ବିରୋଧ କରିଲିିଲା ପ୍ରଥମ ପତ୍ନୀର ଭାଇ। ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ ଆଜି ସକାଳୁ ଭୁଜାଳିରେ ହାଣି ହତ୍ୟା କରିଛି ଶଳାକୁ। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ହତ୍ୟାକାଣ୍ଡ ପରେ ଭିଣୋଇ ଫେରାର ହୋଇଯାଇଥିିବା ବେଳେ ଉତ୍ତ୍ୟକ୍ତ ଗ୍ରାମାବାସୀ ଭିଣୋଇଙ୍କର ଦୁଇଟି ଅଟୋ ସହିତ ତାଙ୍କ ଘରକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରିପୁର ପଞ୍ଚାୟତର ସଇଦାବାଦ ଗାଁର ସକିମ ଖାଁ(୨୮ ବର୍ଷ)ଙ୍କ ଭଉଣୀକୁ ସେହି ଗାଁର ଭାଲୁ ଖାଁ(୩୫ ବର୍ଷ) ବିବାହ କରିଥିଲେ। ଇତିମଧ୍ୟରେ ଗୋଟିଏ ପରେ ଗୋଟିଏ କରି ଭାଲୁ ଖାଁ ୫ଟି ବିବହ କରିଛନ୍ତି। ଭାଲୁ ଖାଁଙ୍କ ବାରମ୍ବାର ବିବାହକୁ ବିରୋଧ କରୁଥିଲେ ସକିମ। ଏହାକୁ ନେଇ ଶଳାଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଆଜି ସକାଳେ ସକିମ ଶାଳନ୍ଦୀ ନଦୀକୂଳକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭାଲୁ ଖାଁ ଏକ ଭୁଜାଲିରେ ସକିମ୍‌ଙ୍କୁ ହାଣି ହତ୍ୟା କରିବା ପରେ ଫେରାର ହୋଇଯାଇଥିିଲା। ତେବେ ସକିମଙ୍କୁ ଭାଲୁ ହତ୍ୟା କରିଥିବା ସୂଚନା ପାଇ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଭାଲୁ ଖାଁର ୨ଟି ଅଟୋ ଓ ତାଙ୍କ ଘରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।।

ସମ୍ବନ୍ଧିତ ଖବର