ମାଛ ମାରିବାକୁ ଯାଇଥିବା ବେଳେ ଫୁଟିଲା ଡିଟୋନେଟର, ମାଛ ଧରାଳିଙ୍କ ହାତ ପାପୁଲି ଛିଣ୍ଡିଲା

ଫୁଲବାଣୀ: ପଥର ଫଟାଇବା ପାଇଁ ବ୍ୟବହାର ହୁଏ ଡିଟୋନେଟର। ହେଲେ ଫୁଲବାଣୀରେ ମାଛ ମାରିବାକୁ ବ୍ୟବହାର ହେଉଛି ଡେଟୋନେଟର। ଏହାର ବ୍ୟବହାର ଯେ ଭୟଙ୍କର ହୁଏ ତାହା ଆଜି ଫୁଲବାଣୀରେ ଜଣେ ମାଛ ଧରାଳିଙ୍କ କ୍ଷେତ୍ରରେ ଘଟିଛି। ଆଉ ଦୁର୍ଘଟଣାର ଶିକାର ହୋଇଛନ୍ତି ଜଗନ୍ନାଥ ବେହେରା।

ସୂଚନା ଅନୁସାରେ ମାଛ ମାରିବାକୁ ଡିନୋନେଟର ବ୍ୟବହାର କରୁଥିବା ବେଳେ ତାହା ହଠାତ ଜୋରରେ ଫୁଟିଥିଲା। ଫଳରେ ମାଛ ଧରାଳି ଜଗନ୍ନାଥ ବେହେରାଙ୍କ ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିଲା। ଏଥି ସହ ତାଙ୍କ ମୁହଁ ଓ ଦେହରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ ସଦର ଥାନା ବିଶିପଡା ପଞ୍ଚାୟତ ମାଝିପଦର ଗାଁର ଜଗନ୍ନାଥ ଫୁଲବାଣୀରେ ଘରଭଡା ନେଇ ରୁହନ୍ତି। ସେ ମିସ୍ତ୍ରୀ କାମ କରୁଥିବା ବେଳେ ଆଜି ସଂଧ୍ୟାରେ ମାଛ ମାରିବାକୁ କଲେଜ ଛକ ପିଲାସାଲୁଙ୍କି ନଦୀକୁ ଯାଇଥିଲେ। ହାତରେ ଜାଲ ବଦଳରେ ଥିଲା ଡିଟୋନେଟର। ମାଛ ମାରିବାକୁ ଡିଟୋନେଟର ନଦୀରେ ପକାଇବା ସମୟରେ ହଠାତ ଜୋରରେ ଫୁଟିଥିଲା। ଏଥିରେ ଜଗନ୍ନାଥଙ୍କ ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି  ଯିବା ସହ ମୁହଁ ଓ ଦେହର ବହୁ ଅଂଶ ବି ପୋଡି ଯାଇଛି। ରିପୋର୍ଟ ଲେଖା ବେଳକୁ ଜଗନ୍ନାଥଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର