‘ସ୍ୱଚ୍ଛ ଭାରତ’ ପାଇଁ ବୁଲିିଲେଣି ୧୪ ରାଜ୍ୟ

ବାପାଙ୍କୁ ହେଇପାରିଲେନି ଶୁଦ୍ଧି

ଅନୁଗୁଳ,(ସୁବ୍ରତ କୁମାର ସାମଲ): ‘ସ୍ୱଚ୍ଛ ଭାରତ, ଶ୍ରେଷ୍ଠ ଭାରତ’। କେନ୍ଦ୍ର ସରକାରଙ୍କ ଏହି ସ୍ଲୋଗାନ୍‌ ଜରିଆରେ ଘରେ ଘରେ ତିଆରି ହେଉଛି ପାଇଖାନା। ପଲ୍ଲୀଠୁ ଦିଲ୍ଲୀ ଯାଏଁ ଚାଲିଛି ସଫେଇ ଅଭିଯାନ। ନେତାଠୁ ଜନତା ସଭିଏଁ ଧରୁଛନ୍ତି ଝାଡ଼ୁ। କିନ୍ତୁ ଏ ସବୁର ପ୍ରଚାର ଦୂରରେ ଜଣେ ଯେ ସ୍ୱଚ୍ଛ ଭାରତ ପାଇଁ ସାରା ଭାରତ ବୁଲିବେ, ତାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଚମ୍ପଦାନି ଗାଁର ଜୟଦେବ ରାଉତ(୪୭) ‘ସ୍ୱଚ୍ଛ ଭାରତ-ନିର୍ମଳ ବଙ୍ଗଳା’ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ଭାରତ ଭ୍ରମଣରେ ବାହାରିଛନ୍ତି। ଗଲା ଫେବ୍ରୁଆରି ୨୬ତାରିଖରେ ଚମ୍ପଦାନି ମ୍ୟୁନିସ୍‌ପାଲ୍‌ଟିରୁ ଜୟଦେବ ଆରମ୍ଭ କରିଥିବା ଏହି ସାଇକଲ୍‌ ଯାତ୍ରାରେ ବର୍ତ୍ତମାନ ସୁଦ୍ଧା ୧୪ରାଜ୍ୟ ବୁଲି ସାରିଲେଣି। ତାଙ୍କର ଏହି ଦୁଃସାହସିକ ଯାତ୍ରା କାଳରେ ଅନେକ କଷ୍ଟ ସହିଛନ୍ତି; ଜୀବନର ସବୁଠୁ ମୂଲ୍ୟବାନ୍‌ ସଂପଦ ବି ହରାଇଛନ୍ତି। ଜୁନ୍‌ ୩୦ରେ ଚଣ୍ଡିଗଡ଼ରେ ଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଗଲେ। ତଥାପି ସେ ନିଜ ଭାରତ ଭ୍ରମଣ ମିସନ୍‌ରୁ ଓହରି ନାହାନ୍ତି। ବାପାଙ୍କ ଶୁଦ୍ଧିକ୍ରିୟାକୁ ପଛରେ ପକାଇ ଏ ରାଜ୍ୟରୁ ସେ ରାଜ୍ୟ ବୁଲି ସ୍ୱଚ୍ଛତାର ମନ୍ତ୍ର ଫୁଙ୍କୁଛନ୍ତି, ଲୋକଙ୍କୁ ସଚେତନ ବି କରାଉଛନ୍ତି। ଆଜି ଅନୁଗୁଳ ସହର ଦେଇ ଝାଡ଼ଖଣ୍ଡ ଯାଉଥିବା ବେଳେ ହରିମହୁରି ଛକ ନିକଟରେ ତାଙ୍କ ସହିତ ହୋଇଥିଲା ଭେଟ। ମାତ୍ର ଦଶ ପନ୍ଦର ମିନିଟ୍‌ର ଅବଧି ଭିତରେ ସେ ନିଜର ଜୟଯାତ୍ରା ସଂପର୍କରେ ଅନେକ କିଛି କଥା ବଖାଣିଥିଲେ। ବ୍ୟକ୍ତିଗତ, ପାରିବାରିକ ଜୀବନ କଥା ବି କହିବାକୁ ଭୁଲି ନଥିଲେ।

ଜୟଦେବଙ୍କ କହିବାନୁଯାୟୀ, ପଶ୍ଚିମବଂଗର ଚଟରଖା କଂପାନିରେ ସେ କାମ କରନ୍ତି। ସ୍ୱଚ୍ଛତାକୁ ନେଇ ପିଲାଦିନୁ ସେ ଭାରି ଆତ୍ମସଚେତନ। ନିଜେ ସଫା ରହିବା ଏବଂ ପାରିପାର୍ଶ୍ୱିକ ପରିବେଶକୁ ସ୍ୱଚ୍ଛ ରଖିବା ହେଉଛି ତାଙ୍କର ନିଶା। ଏଭଳିସ୍ଥିତିରେ କଂପାନିରେ ଦିନେ କାମ କରୁଥିବା ବେଳେ ସରକାରଙ୍କ ସ୍ୱଚ୍ଛ ଭାରତ ମିସନ୍‌କୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ତାଙ୍କ ମନକୁ ଏକ ଝୁଙ୍କ୍‌ ଆସିଲା। ଆଉ ଏଥିପାଇଁ ସେ ସାଇକଲ୍‌ରେ ଭାରତ ଭ୍ରମଣ କରିବାକୁ ଉପଯୁକ୍ତ ମାଧ୍ୟମ ରୂପେ ବାଛିଲେ। ଚାକିରିରୁ ଛଅ ମାସ ଛୁଟି ଆଣି ଗଲା ଫେବ୍ରଆରି ୨୬ତାରିଖରେ ଚମ୍ପଦାନିିରୁ ଭାରତ ଭ୍ରମଣରେ ବାହାରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ଗୋଆ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଂଜାବ, ଜମ୍ମୁ ଆଦି ୧୪ଟି ରାଜ୍ୟ ବୁଲି ସାରିଲେଣି। ୟା’ ଭିତରେ ଚାକିରି ଛୁଟିର ଅବଧି ଶେଷ ହୋଇଗଲାଣି। ବାପାଙ୍କୁ ବି ହରାଇ ସାରିଲେଣି। କିନ୍ତୁ ଲକ୍ଷ୍ୟ ପୂରଣ ହୋଇନଥିବାରୁ ସାଇକଲ୍‌ ଯାତ୍ରା ଜାରି ରଖିଛନ୍ତି। ଦିନକୁ ୬୦ରୁ ୭୦ କିଲୋମିଟର ଯାତ୍ରା କରୁଛନ୍ତି। ରାତି ହେଲେ ମନ୍ଦିର, ଥାନା କିମ୍ବା ପେଟ୍ରୋଲ ପମ୍ପ୍‌ରେ ଆଶ୍ରୟ ନେଉଛନ୍ତି। ଦିନରେ ହୋଟେଲ୍‌ ଅଥବା କୌଣସି ଧାର୍ମିକ ଅନୁଷ୍ଠାନରେ ଖାଉଛନ୍ତି। ୧୪ଟି ରାଜ୍ୟ ବୁଲିବା ଭିତରେ କେବେବି କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିବା ଜୟଦେବ କହିଛନ୍ତି। ଲୋକଙ୍କ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ମିଳିଛି।

ପରିବାର ସଂପର୍କରେ ମତ ରଖି ଜୟଦେବ କହିଛନ୍ତି ଯେ ଘରେ ବିଏ ପଢ଼ୁଆ ଝିଅ ଏବଂ ପତ୍ନୀ ଅଛନ୍ତି। ବାପା ଜୁନ୍‌ ୩୦ତାରିଖରେ ଚାଲିଯିବା ଖବର ପତ୍ନୀଙ୍କଠୁ ପାଇଲି। ବହୁତ ଦୁଃଖ ଲାଗିଲେ ବି ମିସନ୍‌ ପୂରଣ ହୋଇନଥିବାରୁ ବାପାଙ୍କ ଶୁଦ୍ଧିକ୍ରିୟା କଥା ଆଉ ଚିନ୍ତା କଲି ନାହିଁ। ପୂରା ଭାରତ ଭ୍ରମଣ କରି ଲୋକଙ୍କୁ ସ୍ୱଚ୍ଛତା ସଂପର୍କରେ ସଚେତନ କରି ଘରକୁ ଫେରିଲେ ବାପାଙ୍କୁ ଶୁଦ୍ଧି ହେବି ବୋଲି ଜୟଦେବ କହିଛନ୍ତି। ତେବେ ଏହି ଯାତ୍ରା ପାଇଁ କୌଣସି ଲୋକଙ୍କଠାରୁ ଆର୍ଥିକ ସହାୟତା ଆଣିନାହିଁ। ନିଜ କଷ୍ଟ ଉପାର୍ଜିତ ସଂଚିତ ଅର୍ଥରେ ଯାତ୍ରା କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର