୨୦୩ ସେକେଣ୍ଡରେ ୧ରୁ ୨୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗ କହି ୟୁନିଭର୍ସାଲ୍‌ ରେକର୍ଡ଼ରେ ସ୍ଥାନ ପାଇଲେ ମନୋଜ ମହାରଣା, ରାଜ୍ୟପାଳ କଲେ ପ୍ରଶଂସା

ବ୍ରହ୍ମପୁର: ଏକାଧିକ କୀର୍ତ୍ତିମାନ ନିଜ ନାମରେ କରିଥିବା ଗଂଜାମ ଜିଲ୍ଲା ପୋଲସରା ବାସିନ୍ଦା ଭଗବାନ ମହାରଣାଙ୍କ ପୁଅ ମନୋଜ ମହାରଣା ପୁଣି ଦୁଇଟି ଅନ୍ତର୍ଜାତୀୟ କୀର୍ତ୍ତିମାନ ହାସଲ କରିଛନ୍ତି। ୧ରୁ ୨୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗ ମାତ୍ର ୨୦୩ ସେକେଣ୍ଡରେ ନିର୍ଭୁଲ ଭାବେ କହି ୟୁନିଭର୍ସାଲ୍‌ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେହିପରି ସେ ୧ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗ ମାତ୍ର ୬୮ସେକେଣ୍ଡରେ କହି ଏସିଆ ବୁକ୍‌ ଅଫ୍‌ ରେକର୍ଡ଼ର ଅଧିକାରୀ ହୋଇଛନ୍ତି।

ଚଳିତ ବର୍ଷ ଅଗଷ୍ଟ ୧୬ରେ ବ୍ରହ୍ମପୁର ଅନନ୍ତନଗର ସ୍ଥିତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ଠାରେ ଏହି ଦୁଇଟି କୀର୍ତ୍ତିମାନ ପାଇଁ ପ୍ରୟାସ କରି ଭିଡିଓ ଉତ୍ତୋଳନ କରିଥିଲେ। ସେହି ଭିଡିଓକୁ ଦୁଇ ଅନୁଷ୍ଠାନକୁ ପଠାଇଥିଲେ। ଗତ ୮ତାରିଖରେ ତାଙ୍କର ପ୍ରୟାସ ସଫଳ ହୋଇଥିବା ନେଇ ଦୁଇ ଅନୁଷ୍ଠାନ ପକ୍ଷରୁ ସ୍ୱୀକୃତି ମିଳିଥିଲା। ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିବାର ସୁଯୋଗ ପାଇଥିଲେ ମନୋଜ। ତାଙ୍କର କୃତିତ୍ୱକୁ ରାଜ୍ୟପାଳ ପ୍ରଶଂସା କରିବା ସହ ସଂଖ୍ୟା ମାନଙ୍କର ବର୍ଗ ଅଳ୍ପ ସମୟରେ ବାହାର କରିବାର ନିଆରା କୌଶଳ ନିଜ ଭିତରେ ସୀମିତ ନରଖି ଅନ୍ୟ ପିଲାମାନଙ୍କୁ ଶିଖାଇବା ପାଇଁ ପରାମର୍ଶ ଦେଇଥିଲେ।

ମନୋଜ ବର୍ତ୍ତମାନ ଗଣିତରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ପିଲା ଦିନୁ ତାଙ୍କୁ ରେକର୍ଡ଼ ନିଶା ଘାରିଥିଲା। ଏହା ମଧ୍ୟରେ ସେ ଦୁଇଟି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ଼ର ଅଧିକାରୀ ହୋଇ ସାରିଲେଣି। ୨୦୧୭ ମସିହାରେ ପାଟିରେ ଏକ ସଂଗେ ୪୫୯ଟି ଷ୍ଟ୍ର ଧରି ପ୍ରଥମେ ଗିନିଜ୍‌ ବୁକ୍‌ ରେକର୍ଡ଼ରେ ସ୍ଥାନିତ ହୋଇଥିଲେ। ପରବର୍ଷ ୨୦୧୮ ମସିହାରେ ଗୋଟିଏ ଟୁଥ୍‌ପିକ୍‌କୁ ଜିଭ ଦ୍ଵାରା ପାଟି ଭିତରେ ଏକ ମିନିଟ୍‌ରେ ୩୬ଥର ୩୬୦ ଡିଗ୍ରିରେ ଘୁରେଇ ପୁଣି ଆଉ ଏକ ରେକର୍ଡ଼ର ଅଧିକାରୀ ହୋଇଥିଲେ।

ସମ୍ବନ୍ଧିତ ଖବର