ଶିମିଳିପାଳରେ ତୁଷାରପାତ: ମୟୂରଭଞ୍ଜରେ ପ୍ରବଳ ଶୀତ ଲହରୀ

ଯଶିପୁର: ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଏବେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ଆଉ ଗତ କେତେଦିନ ମଧ୍ୟରେ ପାରଦ ଏତେ ଖସିଯାଇଛି ଯେ ଶିମିଳିପାଳ ଅଭୟାରଣ୍ୟର ବନାଞ୍ଚଳ ଏବେ ଭୟଙ୍କର ଶୀତରେ ଥରୁଛି। ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗି ଘଞ୍ଚ ଅଭ୍ୟନ୍ତର ବନ ଇଲାକାରେ ଘନ ତୁଷାରପାତ ହୋଇ ବରଫ ଆସ୍ତରଣ ଜମି ରହୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ତାପମାତ୍ରା ଶୂନ୍ ଡିଗ୍ରି ତଳକୁ ଚାଲିଯାଉଥିବାର ବିଭାଗୀୟ ରେକର୍ଡରୁ ଜଣାପଡିଛି। ଶିମିଳିପାଳ ବନାଞ୍ଚଳର ଅସ୍ତକୁମର, ବରେହିପାଣି ଓ ଗୁରୁଗୁଡ଼ିଆର ଅଗମ୍ୟ ପାର୍ବତ୍ୟାଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହୋଇ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି। ଛୋଟ ଛୋଟ ବୁଦା ଗୁଳ୍ମ ଜାତୀୟ ଉଦ୍ଭିଦ ସବୁ ପ୍ରବଳ ଶୀତର ତୁଷାର ଓ ବରଫପାତରେ ଝାଉଁଳି ମରି ଯାଉଥିବା ଦେଖାଯାଉଛି। ଭୋର୍‌ ବେଳକୁ ବନାଞ୍ଚଳର ବିସ୍ତୀର୍ଣ୍ଣ ପ୍ରାନ୍ତର ଧବଳ ବର୍ଣ୍ଣ ଧାରଣ କରୁଛି।
ଦୀର୍ଘ ୪୦ ବର୍ଷ ଧରି ଶିମିଳିପାଳ ସହ ଜଡିତ ରହିଥିବା ବ୍ୟାଘ୍ର ପ୍ରକଳ୍ପର କର୍ମଚାରୀ ତଥା ଗାଇଡ୍ ଶଙ୍କର ହେମ୍ବ୍ରମ ଗତ ୨ ଦିନ ତଳର ଶିମିଳିପାଳ ପରିଭ୍ରମଣ ଓ କୁମାରୀ ନିବାସରେ ରାତ୍ରିଯାପନର କଷ୍ଟକର ଶୀତ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି। ଅଧିକନ୍ତୁ ପ୍ରବଳ ଶୀତ ଲହରୀ ସତ୍ତ୍ବେ ଶିମିଳିପାଳର ଆକର୍ଷଣକୁ ଭୁଲି ନ ପାରି ପର୍ଯ୍ୟଟନସ୍ଥଳୀ ଗୁରୁଗୁଡ଼ିଆ, ଚହଲା, ଜାମୁଆଣୀ, କୁମାରୀ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି।

ସମ୍ବନ୍ଧିତ ଖବର