ସାରସକଣା ସରସ୍ୱତୀ ଶିଶୁ ମନ୍ଦିରରେ ଅଘଟଣ : ଅଜଣା ଦୁର୍ବୃତ୍ତର ଆକ୍ରମଣରେ ୨ ଛାତ୍ର ଗୁରୁତର

ସାରସକଣା : କିଛି ମାସ ଆଗରୁ ରିୟାନସ୍କୁଲ ଛାତ୍ର ହତ୍ୟା ଘଟଣା ସାରା ଦେଶରେ ଚାଚଂଲ୍ୟ ଖେଳାଇଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ସାରସକଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସେମିତି ଏକ ଅଭାବନୀୟ ଘଟଣାର ପୁନରାବୃତ୍ତି ଘଟିଛି। ସ୍କୁଲର ଦୁଇ ଜଣ ପିଲାଙ୍କୁ କେହି ଅଜଣା ଦୁର୍ବୃତ୍ତ ଗଳାକାଟି ହତ୍ୟା କରିବାକୁ ଚେଷ୍ଟା କରିଛି। ଛାତ୍ର ଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏହି ଘଟଣା ଛାତ୍ର ଓ ଅଭିଭାବକ ମହଲରେ କୋକୁଆଭୟ ଖେଳାଇଦେଇଛି।

ଖବରରୁ ପ୍ରକାଶ, ଆଜି ଭୋର୍‌ ସାଢ଼େ ୪ ଟା ସମୟରେ ଶିଶୁ ମନ୍ଦିରର ଦୁଇ ଛାତ୍ର ସନ୍ଦୀପ ହାଁସଦା(ଷଷ୍ଠ) ଓ ମନୋଜ କୁମାର ମହାନ୍ତ(ନବମ) ସ୍କୁଲ ପରିସରରେ ଥିବା ହଷ୍ଟେଲ ଶୌଚାଳୟକୁ ଯାଇଥିଲେ। ମନୋଜ ଶୌଚ ହେବାପାଇଁ ଭିତରକୁ ଯାଇଥିବା ବେଳେ ସନ୍ଦୀପ ବାହାରେ ଅପେକ୍ଷା କରିଥିଲେ। ଏତିକି ବେଳେ ମୁଖା ପିନ୍ଧିଥିବା କେହି ଜଣେ ଅଜଣା ଦୁର୍ବୃତ୍ତ ସନ୍ଦୀପଙ୍କୁ ପଛପଟୁ ଆକ୍ରମଣ କରିବା ସହ ବେକ କାଟିଦେବାକୁ ଉଦ୍ୟମ କରିଥିଲା। ସନ୍ଦୀପର ପାଟିଶୁଣି ମନୋଜ ବାହାରକୁ ଚାଲିଆସିବାରୁ ତାକୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ତେବେ ପିଲା ଦୁଇଜଣଙ୍କ ଚିତ୍କାର ଶୁଣି ଅନ୍ୟା ପିଲା ଓ ଶିକ୍ଷକମାନେ ଦୌଡ଼ିଆସିବାରୁ ଦୁର୍ବୃତ୍ତ ଜଣଙ୍କ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ଛାତ୍ର ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥାମେ ଶୀର୍ଷା ଓ ପରେ ପିଆରଏମ୍‌ ସିଏଚସିକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ହରିଶ ଚନ୍ଦ୍ର ମହାନ୍ତ ଝାରପୋଖରିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୬୨/୧୮ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥି ସହ ପୁଲିସ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଥାନାରେ ପଚରା ଉଚରା କରୁଛି। ଏହାକୁ ଏକ ସମ୍ବେଦନଶୀଳ ଘଟଣା ଭାବେ ନେଇ ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ଶରତ ମହାଳିକ କହିଛନ୍ତି।

ସମ୍ବନ୍ଧିତ ଖବର