ମୟୂରଭଞ୍ଜ ଓ ନବରଙ୍ଗପୁରରୁ ପରୀକ୍ଷା ଲାଗି ଯାଇଥିବା ୧୧୭ ନମୁନା ନେଗେଟିଭ୍

ବାରିପଦା/ ନବରଙ୍ଗପୁର : ମୟୂରଭଞ୍ଜ ଓ ନବରଙ୍ଗପୁରରୁ ପରୀକ୍ଷା ଲାଗି ପଠାଯାଇଥିବା ସମସ୍ତ ନମୁନା ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ କରୋନାକୁ ନେଇ ମୟୂରଭଞ୍ଜରେ ବର୍ତ୍ତମାନ ସୁଦ୍ଧା କୌଣସି ଚିନ୍ତାଜନକ ବିଷୟ ଆସିନାହିଁ। କାରଣ ଏହି ଜିଲ୍ଲାରୁ କରୋନା ପରୀକ୍ଷା ପାଇଁ ଆଜି ସୁଦ୍ଧା ୯୦ ନମୁନା ପରୀକ୍ଷା ପାଇଁ ଯାଇଥିଲା। ତେବେ ସକରାତ୍ମକ ବିଷୟ ଏହା ଯେ ସମସ୍ତ ୯୦ ନମୁନା ନେଗେଟିଭ୍ ଆସିଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ତେବେ ଏହାସତ୍ତ୍ବେ ଜିଲ୍ଲାବାସୀ କରୋନାକୁ ନେଇ ପ୍ରଶାସନର ସମସ୍ତ ପରାମର୍ଶ ଓ ନିୟମକୁ ମାନିବା ଆବଶ୍ୟକ। ଆସନ୍ତା କିଛି ସପ୍ତାହ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ କେହି ମଧ୍ୟ ଘରୁ ବାହାରିବା ଉଚିତ୍ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପ୍ରଶାସନ ମଧ୍ୟ ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ସେହିପରି ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ସ୍ବତନ୍ତ୍ର ଦୁଇଟି କରୋନା ହସ୍ପିଟାଲ ପ୍ରସ୍ତୁତ ନେଇ ଖୁବ୍ଶୀଘ୍ର ନିଷ୍ପତି ନିଆଯିବ। ଏନେଇ ସମସ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେଉଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାର ପଠାଯାଇଥିବା ୨୭ ରକ୍ତ ନମୁନା ନେଗେଟିଭ୍
ନବରଙ୍ଗପୁର ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୮ ଓ ୨ୟ ପର୍ଯ୍ୟାୟରେ ୧୯ ଟି ଏପରି ୨୭ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ସମସ୍ତ ରକ୍ତ ନମୂନା ନେଗେଟିଭ୍ ରିପୋର୍ଟ ଆସିଥିବାର ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାକୁ ବିଦେଶୀରୁ ଆସିଥିବା ସମସ୍ତଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେହିପରି ଭାବେ ଦିଲ୍ଲୀରୁ ନବରଙ୍ଗପୁର ଜିଲ୍ଲାକୁ ଗତ ମାର୍ଚ୍ଚ ୧୫ ପରେ ୫୭ ଜଣ ଫେରିଛନ୍ତି । ସମସ୍ତ ଦିଲ୍ଲୀ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବି କରାଯାଇଛି। କିଛି ବ୍ୟକ୍ତିଙ୍କ ସ୍ବାବ୍ ବି ପଠାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରାୟ ୩ ହଜାରରୁ ଅଧିକ ଶ୍ରମିକ ଫେରିଛନ୍ତି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତ ଶ୍ରମିକଙ୍କୁ ନିଜ ଘରେ ସଙ୍ଗରୋଧ ହୋଇ ରହିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର