ଆଉ ଜଣେ ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ୍‌ : ବ୍ଲାକ୍‌ମେଲ୍‌ କରୁଥିବା ଛାତ୍ର ଗିରଫ

ବାରିପଦା : ଭାଇରାଲ ଭିଡିଓକୁ ନେଇ ପୁଣି ବାରିପଦା ଚର୍ଚ୍ଚାରେ। ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡ଼ିଓ ଭାଇରାଲ୍‌ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଜଣେ କଲେଜ ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ହେବା ଘଟଣା ପୁଲିସ ପାଇଁ ଚାଲେଂଜ ପାଲଟିଛି। ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡିଓ ମାମଲାରେ ମୟୂରଭଞ୍ଜ ପୁଲିସ ଗିରଫ କରିଥିବା ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଏଣେ କଲେଜ ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ବ୍ଲାକମେଲ୍‌ କରୁଥିବା ଜଣେ କଲେଜ ପଢୁଆ ଛାତ୍ରଙ୍କୁ ମଧ୍ୟ ଆଜି ପୁଲିସ ଗିରଫ କରିଛି। ନଗ୍ନ ଫଟୋ ଭାଇରାଲ୍‌ ନେଇ କଲେଜ ଛାତ୍ରୀଙ୍କ ବାପା ଗତକାଲି ରାତିରେ ବାରିପଦା ଟାଉନ୍‌ ଥାନରେ ଏତଲା ଦେଇଥିଲେ।

ପୁଲିସ ଏନେଇ କେସ୍‌ ନମ୍ବର ୩୦୪/୧୬.୧୧.୨୦୧୭ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ର ହେଲେ ଶମ୍ଭୁନାଥ ଘୋଷ (୧୮)। ସେ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆର ଚିତ୍ତ ଘୋଷଙ୍କ ପୁଅ ବୋଲି ପୁଲିସ କହିଛି। ଶମ୍ଭୁ ବାରିପଦା ନିକଟ ଏକ କଲେଜରେ ପାଠ ପଢୁଥିଲା। ସେହି କଲେଜର ଜଣେ ଛାତ୍ରୀଙ୍କ ସହ କିଛିବର୍ଷ ହେଲା ତା’ର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଇତିମଧ୍ୟରେ ଛାତ୍ରୀଙ୍କ ବିବାହ ଅନ୍ୟତ୍ର ଠିକ୍‌ ହେବାରୁ ସେ ଶମ୍ଭୁଙ୍କୁ ବାହା ହେବାକୁ ମନାକରି ଦେଇଥିଲେ। ଏଥିରେ କ୍ଷୁବ୍‌ଧ ହୋଇ ଶମ୍ଭୁ ଉଭୟଙ୍କ ଦୁର୍ବଳ ମୁହୂର୍ତର ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଦେଇଥିଲେ। ଫଟୋଟି ଭାଇରାଲ୍‌ ହେବା ପରେ ଗତକାଲି ଛାତ୍ରୀଙ୍କ ବାପା ବାରିପଦା ଟାଉନ୍‌ ଥାନାରେ ଶରଣ ପଶିବାରୁ ପୁଲିସ ରାତିଅଧରେ ଶମ୍ଭୁନାଥକୁ ଘରୁ ଉଠାଇ ଆଣି ପଚରା ଉଚରା କରିଥିଲା। ଦୋଷ ସ୍ୱୀକାର କରିବା ପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର