୭ ଜଣଙ୍କୁ ଗିରଫ କଲା ପୁଲିସ

୫ ମହିଳାଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା

ବଡ଼ସାହି: ଭିଡିଓ ଭାଇରାଲ ହେବା ପରେ ବି ଚେତା ପଶିଲାନି। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲା ପୁଲିସ। ଶେଷରେ ଆଜି ବଡ଼ସାହି ଥାନା ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁପୁର ଗ୍ରାମର ମାଗୁଣିଆ ସିଂ, ଯୋଗୀନ ଓରଫ ଯୋଗେନ୍ଦ୍ର ସିଂ, ବୁଧୁରାମ ଓରଫ ଚେଁ ସିଂ, ବୈଦ୍ୟନାଥ ସିଂ, ଜାଠେଆ ସିଂ, ବୁଧୁରାମ ସିଂ ଓ ସୋମନାଥ ସିଂ।

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଯଦୁନାଥପୁର ପଞ୍ଚାୟତ ମଧୁପୁର ଗ୍ରାମରେ ଡାଆଣୀ ସନ୍ଦେହରେ ୫ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗତ ୨୨ ତାରିଖ ଦିନ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ୨୩ ତାରିଖରେ ଶିବ ସିଂ ଓ ରାଧିମଣି ସିଂ ବଡ଼ସାହି ଥାନାରେ ଏତଲା ଦେଇଥିଲେ। ଏହାସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ବସିଥିଲା। ୩ ତାରିଖରେ କେବଳ ଏକ ମାମଲା ରୁଜୁ କରିଥିଲା। ଆଜି ସମସ୍ତଙ୍କୁ ଥାନାକୁ ଡକାଇଥିଲା। ମାଡ଼ ଖାଇଥିବା ଶିବ ସିଂ ଓ ତାଙ୍କ ପତ୍ନୀ ରାଧିମଣି ସିଂଙ୍କ ସମେତ ଅନ୍ୟ ୪ ମହିଳା ସୁହାଗୀ ସିଂ, ପଙ୍କଜିନୀ ସିଂ, ସୁନୀ ସିଂ ଓ ଜାଉନୀ ସିଂ ମଧ୍ୟ ଆଜି ଥାନାକୁ ଆସିଥିଲେ। ଅପରପକ୍ଷେ ପୀଡ଼ିତ ଦମ୍ପତି ଶିବ ଓ ରାଧିମଣିଙ୍କୁ ଫସାଇବାକୁ ଗ୍ରାମବାସୀ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର