ବାଙ୍ଗିରିପୋଷି ବିଇଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ଉ:ଲାଞ୍ଚ ନେଲାବେଳେ ଆକାଉଣ୍ଟାଟ୍‌ ଗିରଫ

ଇନ୍‌କ୍ରିମେଣ୍ଟ୍ ବିଲ୍ ପାସ୍ ପାଇଁ ଶିକ୍ଷକଙ୍କଠାରୁ ନେଉଥିଲେ ୧୫ ହଜାର : ଅନ୍ୟ ୨ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ଅଭଯୁକ୍ତ

କଳାବାଡ଼ିଆ: ଲାଞ୍ଚୁଆ କର୍ମଚାରୀଙ୍କ କାର୍‌ନାମା ଲାଗି ବାଙ୍ଗିରିପୋଷି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ପୂର୍ବରୁ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଖରୁ ଏଠାକାର ଜଣେ ଅଧିକାରୀ ଲାଞ୍ଚ ନେବା ଘଟଣା ଆଲୋଚନା ହେଉଥିବା ବେଳେ ଆଜି ଏହାର ପ୍ରମାଣ ମିଳିଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ବିଇଓ ଅଫିସ୍‌ର ଆକାଉଣ୍ଟାଟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ୨ ମାସ ମଧ୍ୟରେ ଏହା ଥିଲା ବିଇଓ ଅଫିସ୍‌ରେ ଦ୍ବିତୀୟ ଭିଜିଲାନ୍ସ ଚଢ଼ଉ।
ଖବର ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ୍‌ ଅନ୍ତର୍ଗତ କୁସୁମବନ୍ଦ ପଞ୍ଚାୟତ ହିଜିଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବିଶାଳ ମୁର୍ମୁଙ୍କ ଇନ୍‌କ୍ରିମେଣ୍ଟ ବିଲ ପାସ୍‌ କରାଇ ଦେବାକୁ ଆକାଉଣ୍ଟାଟ ମନୋରଞ୍ଜନ ବେହେରା ତାଙ୍କୁ ଗତ ୧ ସପ୍ତାହ ହେବ ହଇରାଣ କରୁଥିଲେ ଓ ଏଥିପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମୁର୍ମୁ ଟଙ୍କା ଦେବାକୁ ଅସମର୍ଥ ହେବା ସହ ଏ ବାବଦରେ ବାରିପଦା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ଅନୁଯାୟୀ ଆଜି ଶ୍ରୀ ମୁର୍ମୁ ଲାଞ୍ଚ ବାବଦ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଡିଏସ୍‌ପି ଶରତ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ୧୦ ଜଣିଆ ଭିଜିଲାନ୍ସ ଟିମ୍‌ ଅଚାନକ ଚଢ଼ଉ କରି ମନୋରଞ୍ଜନଙ୍କୁ ଟଙ୍କା ସହ କାବୁ କରିଥିଲେ। ଏଥିସହ ମନୋରଞ୍ଜନଙ୍କ ବାରିପଦା, ଦାରଗାଡାହି ସ୍ଥିତ ଘର ଓ ଶ୍ବଶୁର ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି।
ସେପଟେ ଗିରଫ ‌େହାଇଥିବା ମନୋରଞ୍ଜନଙ୍କ ବୟାନ ଘଟଣାକୁ ଅଧିକ ଜଟିଳ କରିଦେଇଛି। ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚାରିବାରୁ ଏହି ଲାଞ୍ଚ ଘଟଣାରେ ଆଉ ୨ ଜଣ ଅଧିକାରୀ ସମ୍ପୃକ୍ତ ଥିବା ସେ କହିଛନ୍ତି। ଏ ବାବଦରେ ବିଇଓ ଦୁଃଶାସନ ସି˚ଙ୍କ ସହିତ ଯୋଗାଯୋଗ କରିବାରୁ ଏଥିରେ କେହି ସାମିଲ ନାହିଁ ଏବଂ ଯିଏ ଯେମିତି କର୍ମ କରିବ ସେମିତି ଫଳ ପାଇବ ବୋଲି ସଫେଇ ଦେଇଛନ୍ତି। ତେବେ ବିଇଓ ଶ୍ରୀ ସି˚ଙ୍କୁ ମଧ୍ୟ ବାରିପଦା ଭିଜିଲାନ୍ସ ଅଫିସ୍‌କୁ ଡକାଯାଇ ଜେରା କରାଯାଇଥିବା ସୂଚନା ରହିଛି।
ଆଜିର ଚଢ଼ଉରେ ବାଲେଶ୍ବର ଓ ବାରିପଦା ଭିଜିଲାନ୍ସ ଟିମ୍‌ର ଇନିସପେକ୍ଟର ସବିତା ବେହେରା, ନବ କିଶୋର ଦାସ, ସୁଜାତା ବଳ, ପ୍ରଶାନ୍ତ କୁମାର ସାମଲ, ଲଳିତ କୁମାର ରାଉତ, ବାସୁଦେବ ଅଧିକାରୀ, ଜ୍ଞାନେନ୍ଦ୍ର ପାଲ, ତରୁଣ କୁମାର ପାଲବାବୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର