କାଳ ହେଲାଣି ନେତାଙ୍କ ପତିଆରା ରାଜନୀତି

ବାରିପଦା : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବାରିପଦା ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ଘର ସେତିକି ବିଗିଡିବା ଆରମ୍ଭ କଲାଣି। ସ୍ଥାନୀୟ ନେତାମାନଙ୍କ ପତିଆରା ଜାହିର ରାଜନୀତି କାରଣରୁ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ବିଧାୟକ ସୁଦାମ ମାରାଣ୍ଡି ଗୋଷ୍ଠୀ ଛକାପଞ୍ଝା ସ୍ଥିତିରେ।

ସବୁଠାରୁ ବଡ଼ କଥା ହେଉଛି, କିଛି ଦିନ ତଳେ ଜିଲ୍ଲା ନେତାଙ୍କ ମଧ୍ୟରେ ଥିବା ଅନ୍ତଃକନ୍ଦଳରେ ପୂର୍ଣ୍ଣଛେଦ ଟାଣିବା ଲାଗି ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଢେର୍‌ ଉଦ୍ୟମ କରିଥିଲେ। ହେଲେ ତାଙ୍କ କସରତ ଫସର ଫାଟିଯାଇଛି। କେହି ତାଙ୍କୁ ବିଶ୍ୱାସ କରୁନଥିବାରୁ ଅରୁଣଙ୍କ ସ୍ଥିତି କରୁଣ ଅବସ୍ଥାରେ ପହଞ୍ଚିଲାଣି।

ଦୁଇ ଦିନ ତଳେ ଜିଲ୍ଲା ମହିଳା ଶାଖା ସଭାପତିଙ୍କୁ ହଟାଇ ନୂତନ ସଭାପତି ନିଯୁକ୍ତି ଦିଆଯାଇଥିଲା। ରାଜ୍ୟ ମହିଳା କମିଟିରେ ବାରିପଦା ପୌରସଂସ୍ଥା ଓ୍ଵାର୍ଡ଼ ନଂ-୨୦ କାଉନ୍‌ସିଲର ସୀମା ଦାସ ଓ ଓ୍ଵାର୍ଡ଼ ନଂ-୨୩ କାଉନ୍‌ସିଲର ଶ୍ରାବଣୀ ଦାସଙ୍କୁ ସଂପାଦିକା ଭାବେ ନିଯୁକ୍ତି ଦେଇଥିଲା ଦଳ। ସୀମା ଦାସ ଗତ ପୌର ନିର୍ବାଚନରେ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କ ସମର୍ଥକଙ୍କୁ ପରାସ୍ତ କରି ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଅଗୋଚରରେ ସୀମାଙ୍କ ନିଯୁକ୍ତିକୁ ଶ୍ରୀ ମାରାଣ୍ଡି ସହଜରେ ଗ୍ରହଣ କରିପାରିନାହାନ୍ତି। ଏହାର ଜବାବ ଦେବାକୁ ଯାଇ ଜିଲ୍ଲାର ନୂତନ ଛାତ୍ର କମିଟି ଘୋଷଣା କରାଯାଇଛି। ଏଥିରେ ସାନନ୍ଦଙ୍କ ଖାସ୍‌ ସମର୍ଥକ ଛାତ୍ରନେତାଙ୍କୁ ସ୍ଥାନ ଦିଆଯାଇଛି।

ଏହାକୁ ନେଇ ଦଳଭିତରେ ଏବେ ଅସନ୍ତୋଷର ସ୍ୱର ତୀବ୍ର ହେଲାଣିି। ଏହି ଟିମ୍‌ରେ ଉପସଭାପତି ଭାବେ ସ୍ଥାନ ପାଇଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ତୁଷାର କୁମାର ନାୟକ ଓ ସାମନ୍ତ ଶେଖର ପାଲ୍‌ ଆଜି ସେମାନଙ୍କ ନିଯୁକ୍ତିକୁ ପ୍ରତ୍ୟାଖାନ କରିଛନ୍ତି। ତୁଷାର ଏନେଇ ଖୋଲାଖୋଲି ସୋସିଆଲ୍‌ ମିଡ଼ିଆରେ ନିଜର ଅସନ୍ତୋଷ ଜାହିର୍‌ କରିଛନ୍ତି। ପର୍ଯ୍ୟବେକ୍ଷକ ଅରୁଣ ସାହୁ ଏବଂ ପୌର ଉପନଗରପାଳ ଜିତେନ୍ଦ୍ର ମହାନ୍ତି (ନଛି)ଙ୍କ ନିଷ୍ପତିକୁ ସେ ଆଦୌ ମାନିପାରିବେ ନାହିଁ ବୋଲି ତୁଷାର ପ୍ରକାଶ କରିଛନ୍ତି। ସାମନ୍ତ ଶେଖର ପାଲ୍‌ ମଧ୍ୟ ତାଙ୍କ ସହିତ ବିନା ପରାମର୍ଶରେ ତାଙ୍କୁ ଏହି ପଦବି ଦିଆଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ସେହିପରି ଆହୁରି ଅନେକ ବରିଷ୍ଠ ଛାତ୍ରନେତା ମଧ୍ୟ ତାଙ୍କୁ ଦିଆଯାଇଥିବା ପଦବିକୁ ନେଇ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି।

ବାରିପଦା ଟାଉନ୍‌ ସଭାପତି ପଦକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। କେବଳ ଆନୁଗତ୍ୟ ଆଧାରରେ ଅନେକଙ୍କୁ ଉଚ୍ଚ ପଦ ଦିଆଯାଇଛି ବୋଲି ଅଭିଯୋଗ ଉଠିଲାଣି। ଏକ୍ଷେତ୍ରରେ ଯୋଗ୍ୟତାକୁ କୌଣସି ମାପକାଠି ରଖାଯାଇନଥିବା ଅନେକ ଛାତ୍ରନେତା ପ୍ରକାଶ କରିଛନ୍ତି।

ତେବେ ଜିଲ୍ଲାରେ ଦଳର ବିଭିନ୍ନ ଛାମୁଆ ସଂଗଠନକୁ ନିଜ ଅକ୍ତିଆର୍‌ରେ ରଖିବାକୁ ନେତାଙ୍କର ଏହି ପ୍ରୟାସ ବିଜେଡ଼ିର ସ୍ଥିତିକୁ କ୍ରମଶଃ ବିଗାଡୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର