ଭଣଜାକୁ ହାଣି ମାରିଦେଲେ ମାଇଁ

ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର, ତଦନ୍ତ ଜାରି
ମା’ପୁଅଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ
ହତ୍ୟାକାଣ୍ଡ ପଛରେ ପୂର୍ବ ବିବାଦ ସନ୍ଦେହ

ବିଶୋଇ : ବିଶୋଇ ଥାନା ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତର ପନଖି ଗ୍ରାମରେ ଗତକାଲି ସଂଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅ ମାନକା (ଟିଟୁ) ସହ ମିଶି ମାଇଁ ମାୟା ମାରାଣ୍ଡି ଭଣଜା ତଳାରାମ ମୁର୍ମୁ (୪୦)ଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ହତ୍ୟାକାଣ୍ଡ ପରେ ବସ୍‌ ଯୋଗେ ଖସି ପଳାଉଥିବା ମାନକାକୁ ପୁଲିସ ଧରିଛି। ଉଭୟ ମା’ ଓ ପୁଅଙ୍କୁ ବିଶୋଇ ଥାନାରେ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ ସହାୟତାରେ ପୁଲିସ ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ରକ୍ତ ନମୁନା, ପ୍ଲାଷ୍ଟିକ ଫିତା, ଧାରୁଆ କଟୁରୀ ଆଦି ଜବତ ହୋଇଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଏହା ପଛରେ ପୂର୍ବ ବିବାଦ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଶୋଇ ଥାନା ପୁଲିସ କହିଛି।

ପୁଲିସ ସୂତ୍ର ଅନୁଯାୟୀ ଗତକାଲି ସଂଧ୍ୟାରେ ତଳାରାମ ଓ ତାଙ୍କ ପତ୍ନୀ କୁଇଲୁ ଦୁଇ ଶହ ମିଟର ଦୂର ପନଖି ଗ୍ରାମ ଧୁମାସାହିର ମାଇଁ ମାୟା ମାରାଣ୍ଡିଙ୍କ ଘରକୁ ମଦ ପିଇବାକୁ ଯାଇଥିଲେ। ସମସ୍ତେ ପ୍ରଚୁର ମଦ ପିଇଥିଲେ। ତଳାରାମ ମାୟାଙ୍କ ଘରେ ରାତିରେ ରହିଥିଲେ। ହେଲେ ଭାଣିଜୀ ବୋହୂ କୁଇଲୁଙ୍କୁ ଆଣି ମାୟା ତାଙ୍କ ଘରେ ଛାଡ଼ି ଦେଇଥିଲେ। ଆଜି ସକାଳେ ତଳାରାମ ଘରକୁ ନଫେରିବାରୁ କୁଇଲୁ ତାଙ୍କୁ ଖୋଜିବାକୁ ମାୟାଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖଟ ଉପରେ ସ୍ୱାମୀଙ୍କ ଶବ ପଡ଼ିଥିବା ଦେଖି ସେ ଚିତ୍କାର କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଖବରପାଇ ରାଇରଂଗପୁର ଏସ୍‌ଡିପିଓ ଅମୂଲ୍ୟ ଧୀର, ବିଶୋଇ ଥାନା ଅଧିକାରୀ କୁନି ବେଶ୍ରା, ଏସଆଇ ନବକିଶୋର ଦାସ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ସୁଯୋଗ ଉଣ୍ଡି ମାନିକା ବସ୍‌ରେ ଖସି ପଳାଉଥିଲା। ପୁଲିସ ପିଛାକରି ତାକୁ ଧରିବା ପରେ ମା’ ଓ ପୁଅକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଏନେଇ ଥାନା କେସ୍‌ ନମ୍ବର ୧୩/୧୮ରେ ମାମଲା ରୁଜୁ ହୋଇଛି। ତଳାରାମ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟଥିଲେ। ତାଙ୍କ ମୃତ୍ୟୁ ପରେ ୩ ଝିଅ, ୨ ପୁଅ ଓ ପତ୍ନୀ କୁଇଲୁ ବେସାହାରା ହୋଇ ପଡ଼ିଛନ୍ତି। ହତ୍ୟାକାଣ୍ଡ ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପୁଲିସ ଏନେଇ ଖୋଳତାଡ଼ ଜାରି ରଖିଛି। ମୁଣ୍ଡରେ ଗଭୀର କ୍ଷତ ରହିଥିବାରୁ ମାତ୍ରାଧିକ ମଦ ପିଇ ଚେତା ହରାଇଥିବା ତଳାରାମଙ୍କୁ ମା’ ଓ ପୁଅ କଟୁରିରେ ହାଣି ହତ୍ୟାକରିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର