ଏଲ୍‌ ଆଣ୍ଡ ଟି ଅଫିସ୍‌ରେ ବିଜେଡି କର୍ମୀଙ୍କ ଭଙ୍ଗାରୁଜା, ଦୁଇ ଗିରଫ

ରାଜଗାଙ୍ଗପୁର : କାଂସବାହାଲସ୍ଥିତ ଏଲ୍‌ ଆଣ୍ଡ ଟି ଅଫିସ୍‌ରେ ଭଙ୍ଗାରୁଜା କରିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଜ୍ୟୋତି ରଞ୍ଜନ ନାୟକ ଓରଫ ପାପୁନ୍‌ ଓ ତାଙ୍କ ଦଳୀୟ ସହଯୋଗୀ ଚନ୍ଦନ ଷଣ୍ଢ (୪୦) ଓରଫ ଗୋପୀଙ୍କୁ ରାଜଗାଙ୍ଗପୁର ପୁଲିସ୍‌ ଗିରଫ କରିଛି। ଗଣ୍ଡଗୋଳରେ ସଂପୃକ୍ତ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ଦାସ ଓ ଅନ୍ୟ କିଛି କର୍ମୀ ଗିରଫ ଭୟରେ ଫେରାର ହୋଇଯାଇଥିବା ପ୍ରକାଶ।

ସୂଚନାରୁ ପ୍ରକାଶ ଯେ ଏଲ୍‌ ଆଣ୍ଡ ଟି ପକ୍ଷରୁ ବରପାଲିଠାରେ ହେବାକୁ ଥିବା ଟୋଲ୍‌ଗେଟ୍‌ରେ କର୍ମଚାରୀ ନିଯୁକ୍ତି ପାଇଁ ଶନିବାର କାଂସବାହାଲସ୍ଥିତ କମ୍ପାନି କାର୍ଯ୍ୟାଳୟରେ ସାକ୍ଷାତକାର ଚାଲିଥିଲା। ପ୍ରାର୍ଥୀ ଚୟନ ପରୀକ୍ଷାରେ ସ୍ଥାନୀୟ ଆବେଦନକାରୀଙ୍କୁ ନ ଡାକି ଜିଲ୍ଲା ବାହାର ଜିଲ୍ଲା ତଥା ବାହାର ରାଜ୍ୟରୁ ପ୍ରାୟ ୩୨ ଜଣ ପ୍ରାର୍ଥୀଙ୍କୁ ସଂସ୍ଥା ଡାକିଥିଲା। ସ୍ଥାନୀୟ ଆଶାୟୀମାନେ ଏଭଳି ଅବିଚାର ସମ୍ପର୍କରେ ବିଜେଡି ନେତାଙ୍କୁ ଫେରାଦ ହେବା ପରେ କମ୍ପାନିର ଏଭଳି କାର୍ଯ୍ୟକୁ ବିରୋଧ କରି କିଛି ବିଜେଡି କର୍ମକର୍ତ୍ତାଙ୍କ ନେତୃତ୍ୱରେ ପ୍ରାୟ ୪୦ରୁ ୫୦ ଜଣ କର୍ମୀ ଏଲ୍‌ ଆଣ୍ଡ ଟି କାର୍ଯ୍ୟାଳୟକୁ ଆସି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ। ସେଠାରେ କର୍ମୀ ଓ କମ୍ପାନି ଅଫିସରଙ୍କ ମଧ୍ୟରେ ଉଚ୍ଚବାଚ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ବାହାରେ ଥିବା ଆଉ କିଛି ବିଜେଡ଼ି କର୍ମୀ ଓ ସମର୍ଥକ ଏଲ୍‌ ଆଣ୍ଡ ଟି କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର