୧୦ ଗିରଫ, ପୁଅବୋହୂ ମୁଖ୍ୟ ଅଭିଯୁକ୍ତ

ଡାଆଣୀ ସନ୍ଦେହରେ ହତ୍ୟା ଘଟଣାର ପର୍ଦାଫାସ

ରାସଗୋବିନ୍ଦପୁର/ମାଣିଦା : ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ। ଏହି ମାମଲାରେ ଅଭିଯୋଗକାରୀ ପୁଅ ଓ ବୋହୂ ହିଁ ମୁଖ୍ୟ ଅଭିଯୁକ୍ତ। ବୋହୂ ସମେତ ମୋଟ ୧୦ ଜଣଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧାନଶୋଳର ପୁଅବୋହୂ ରଙ୍ଗବତୀ ରାଉତଙ୍କ ସହ ବିଳାସୀ ରାଉତ, ହୀରା ରାଉତ, ରଙ୍ଗଲତା ରାଉତ, ଭାରତୀ ରାଉତ, କବିତା ଦେବୀ, ଜ୍ୟୋତ୍ସ୍ନା ରାଉତ, ସନ୍ଧ୍ୟା ରାଉତ ଓ ଆହ୍ଲାଦୀଶ ରାଉତ।

ଗତ ସେପ୍ଟେମ୍ବର ୪ ତାରିଖ ଦିନ ସାରୁମୂଳା ପଞ୍ଚାୟତ ଧାନଶୋଳ ଗ୍ରାମର ବିଧବା ବୃଦ୍ଧା ସାକିନା ରାଉତ (୬୮) ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସେଦିନ ରାତି ପ୍ରାୟ ୮ଟା ହେବ ସାରୁମୂଳା-ଗାଁଅମର୍ଦା ରାସ୍ତା ପାର୍ଶ୍ୱ ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିଲା। ବାଟୋଇମାନେ ଦେଖି ଖବର ଦେବା ପରେ ଦମକଳ ବାହିନୀ ଉଦ୍ଧାର କରିଥିଲା। ପୁଲିସ ତନାଘନା ଚଳାଇଥିଲା। ବହୁ ବିଳମ୍ବରେ ମୃତକଙ୍କ ପୁଅବୋହୂ ରଙ୍ଗବତୀ ରାଉତ ଥାନାରେ ପହଞ୍ଚି ତାଙ୍କ ଶାଶୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲା। ଯେଉଁମାନଙ୍କ ଉପରେ ତାଙ୍କର ଆକ୍ରୋଶ ଥିଲା, ସେମାନଙ୍କ ନାମ ସେ ଏତଲାରେ ଲେଖିଦେଲା।

ଥାନା ଆଇଆଇସି ରଙ୍ଗନ ସେଠୀ ତଦନ୍ତ ଆରମ୍ଭ କରି ହତ୍ୟାକାରୀ ପାଖରେ ପହଞ୍ଚି ଯାଇଥିଲେ। ସାନପୁଅ ଶତ୍ରୁଘ୍ନ ରାଉତ ପାଖରେ ସେ ରହୁଥିଲେ। ମା’କୁ ସେମାନେ ଭଲଭାବେ ଖାଇବାକୁ ମଧ୍ୟ ଦେଉନଥିଲେ। ଇନ୍ଦିରା ଆବାସ ଟଙ୍କା ହଡ଼ପ ପାଇଁ ହତ୍ୟାକାଣ୍ଡର ଷଡ଼୍‍ଯନ୍ତ୍ର ରଚିଥିଲେ। ଏଥିପାଇଁ ନିଜ ମା’କୁ ଡାଆଣୀ ଭାବେ ଚିତ୍ରିତ କରିବାକୁ ବି ପଛେଇ ନଥିଲେ। ସାହିଲୋକେ ମଧ୍ୟ ଏହାକୁ ବିଶ୍ୱାସ କରି ଦେହ ଖରାପର କାରଣ ଭାବେ ବୃଦ୍ଧା ସାକିନାଙ୍କୁ ଦାୟୀ କରିଥିଲେ। ଶେଷରେ ସାହିବାସୀଙ୍କୁ ଡାକି  ପୁଅବୋହୂ ମିଶି ସାକିନାଙ୍କୁ ପିଟିପିଟି ହତ୍ୟା କରି ଜଙ୍ଗଲରେ ଫିଙ୍କିଦେଇଥିଲେ। ପୁଲିସ ୭୫/୧୭ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶେଷରେ ହତ୍ୟାକାରୀ ପାଖରେ ପହଞ୍ଚିଗଲା। ମାତ୍ର ଅଭିଯୁକ୍ତ ପୁଅ ଏବେ ବି ଫେରାର ଅଛି।

ସମ୍ବନ୍ଧିତ ଖବର