ବାଇକ୍‌କୁ ଧକା ଦେଇ ଓଲଟିଲା ବସ୍‌ : ୩ ମୃତ, ୨୭ ଆହତ

କ୍ଷତିପୂରଣ ଦାବିରେ ଶବରଖି ରାସ୍ତାରୋକ

ବାରିପଦା/ସାରସକଣା: ମହାନଦୀ ପୋଲ ଉପରେ ଘଟିଥିବା ଭୟଙ୍କର ବସ୍‌ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି ମୟୂରଭଞ୍ଜରେ। ଜାତୀୟ ରାଜପଥ ୪୯ ସ˚ଲଗ୍ନ ଝାରପୋଖରିଆ ଥାନା ଅନ୍ତର୍ଗତ ବମ୍ବେଛକ ନିକଟରେ ଆଜି ପୂର୍ବାହ୍ନରେ ଏକ ବାଇକକୁ ଧକ୍କା ଦେଇ ବସଟି ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ରାଇରଙ୍ଗପୁର ଅଞ୍ଚଳର ସତ୍ୟବାନ ବେରା(୩୭) ନିଜ ଖୁଡ଼ୀ ଶକୁନ୍ତଳା ବେରାଙ୍କୁ ବସାଇ ଏକ ବଜାଜ ସିଟି-୧୦୦ ବାଇକ୍‌ରେ ଝାଡ଼ଖଣ୍ତ ଖଣ୍ତମୌଦାକୁ ଯାଉଥିବା ବେଳେ ବାରିପଦାରୁ କେନ୍ଦୁଝର ଯାଉଥିବା ସ୍ବର୍ଣ୍ଣଲକ୍ଷ୍ମୀ ବସ୍‌ ସହିତ ମୁହାଁମୁହଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ବାଇକ ଚାଳକ ସତ୍ୟବାନଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‌ରେ ବସିଥିବା ଶକୁନ୍ତଳା ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାପରେ ବସ୍‌ଟି ନିୟନ୍ତ୍ରଣ ରଖି ନ ପାରି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ର ହେଲ୍‌ପର କୁନା ବାରିକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ବସ୍‌ରେ ଥିବା ୨୫ରୁ ଊର୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ତେବେ ଗୁରୁତର ଆହତ ବସ୍‌ ହେଲ୍‌ପର କୁନା ଏବ˚ ବାଇକ ଆରୋହୀ ଶକୁନ୍ତଳାଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆର‌୍‌ଏମକୁ ନିଆଯାଇଥିଲା।

ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ୨୭ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ପରେ ବସ୍‌ ଡ୍ରାଇଭର‌୍‌ ଫେରାର‌୍‌ ଥିବା ଜଣାପଡ଼ିଛି। ଏନେଇ ଝାରପୋଖରିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବସ୍‌ଟି ଦ୍ରୁତ ଗତିରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କୁ କ୍ଷତିପୂରଣ ଦାବିରେ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଏସ୍‌ଡିପିଓ ଏବ˚ ଝାରପୋଖରିଆ ଥାନା ଅଧିକାରୀ ପହଞ୍ଚିଥିଲେ। ପୁଲିସ୍‌ ସହିତ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ରେଡ଼କ୍ରସ୍‌ ପକ୍ଷରୁ ୧୦ହଜାର ଏବ˚ ବସ୍‌ ମାଲିକଙ୍କ ପକ୍ଷରୁ ୨୦ହଜାର ଟଙ୍କାର କ୍ଷତିପୂରଣ ରାଶି ମିଳିବା ନେଇ ପ୍ରତିଶ୍ରୁତି ପରେ ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର