ପୁଣି ଶିମିଳିପାଳରୁ କ୍ୟାମେରା ଚୋରି

ଖୁଣ୍ଟା : ଜାତୀୟ ଅଭୟାରଣ୍ୟ ‘ଶିମିଳିପାଳ’ରେ ଶିକାରୀ ସକ୍ରିୟ। ବନ ବିଭାଗର କ୍ୟାମେରା ଟ୍ରାପ୍‌ ଅଭିଯାନକୁ ଚାଲେଞ୍ଜ୍‌ କରି ଦିନରାତି ଚାଲିଛି ଶିକାର। ଏଣୁ ସେମାନଙ୍କ ଉପରେ ଆଖି ରଖୁଥିବା କ୍ୟାମେରାକୁ ପ୍ରଥମେ ଟାର୍ଗେଟ କରୁଛନ୍ତି। ମାତ୍ର ୧୩ ଦିନ ଭିତରେ ପୁଣି କ୍ୟାମେରା ଚୋରି ହୋଇଛି। ଅନନ୍ୟୋପାୟ ବନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ପୁଲିସ ନିକଟରେ ନାଲିସ କରାଯାଇଛି।

ଶିମିଳିପାଳ ଜଙ୍ଗଲରେ ବନ୍ୟଜନ୍ତୁ ଓ ଅପରାଧୀଙ୍କ ଗତିବିଧିକୁ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଏହି କ୍ୟାମେରା ସବୁ ଖଞ୍ଜା ଯାଇଥିଲା। ଗତ ନଭେମ୍ବର ୨୦ ତାରିଖରେ ଜେନାବିଲ ରେଞ୍ଜ ଅଧୀନ ଗୁରାଣ୍ଡିଆ-ଜେନାବିଲ ରାସ୍ତାର କମ୍ପାକ୍ଟମେଣ୍ଟ ଖଇରୀ-୨୫ ନିକଟରେ ବିଭାଗ ପକ୍ଷରୁ ଖଞ୍ଜା ଯାଇଥିବା କ୍ୟୁଡ୍‌ ବେକ୍‌ ଡିଜିଟାଲ କ୍ୟାମେରାଟିକୁ କେହି ଦୁର୍ବୃତ୍ତ ଚୋରି କରିନେଇଥିଲେ। ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ବି କେହି ଅପରାଧୀ ଧରାପଡ଼ିନାହାନ୍ତି।

ଅନୁରୂପ ଭାବେ ଉଦଳା ରେଞ୍ଜ ନୂଆଗାଁ ବିଟ୍‌ ଅଧୀନ ସଞ୍ଜ-୯(ପି-୨) ଏରିଆର ବାରୁଘାଟୀ ନିକଟରେ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୫ ତାରିଖରେ ଖଞ୍ଜା ଯାଇଥିବା ଏକ ଟ୍ରାକିଂ କ୍ୟାମେରା ରବିବାର ଚୋରି ହୋଇଛି। ଆଜି ଡେଙ୍ଗାମ ସେକ୍‌ସନର ବନପାଳ ଦୀପକ କୁମାର ପାତ୍ର ଖୁଣ୍ଟା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର