୧୫ ବର୍ଷ ହେଲାଣି ବନ୍ଦ ହୋଇ ପଡ଼ିଛି ଏସିଆର ସର୍ବବୃହତ ଚୀନାମାଟି ଖଣି

ଦାଦନ ଖଟିବାକୁ ଗାଁ ଛାଡ଼ୁଛନ୍ତି ଶ୍ରମିକ 

ଯଶିପୁର: ରାଜାରାଜୁଡ଼ା ଅମଳରୁ ମୟୂରଭଞ୍ଜ ମହାରାଜାଙ୍କ ଅମଳରୁ ଆରମ୍ଭ ହୋଇ ଯଶିପୁର ବଜାର ଉପକଣ୍ଠରେ ୫୦ ବର୍ଷରୁ ଉର୍ଦ୍ଧ୍ୱ କାଳ ସୁରୁଖୁରୁରେ ଚାଲିଥିଲା ଯଶିପୁର ଚୀନାମାଟି ଖଣି। ଏସିଆର ସର୍ବବୃହତ ଓ ସର୍ବପ୍ରାଚୀନ ଚୀନାମାଟି ଖଣି ଭାବରେ ଏହା ସର୍ବତ୍ର ପରିଚୟ ପାରି ପାଠ୍ୟ ପୁସ୍ତକରେ ଏହା ସ୍ଥାନ ପାଇ ଯଶିପୁରର ପ୍ରସିଦ୍ଧି ବଢାଇଥିଲେ। ମାତ୍ର ୧୫ ବର୍ଷ ତଳେ ୨୦୦୩ ମସିହାରୁ ଏହା ହଠାତ ବନ୍ଦ ହୋଇଯାଇ ସମ୍ପ୍ରତି ଜରାଜୀର୍ଣ୍ଣ ହୋଇ ଭାଙ୍ଗି ପଡ଼ିବାକୁ ବସିଛି। ଏହି ଖଣି ଉପରେ ଦୀର୍ଘ ବର୍ଷ ଧରି ନିର୍ଭରଶୀଳ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ ପରିବାର ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ହଠାତ ବନ୍ଦ ହୋଇ ଯାଇ ପୁନର୍ବାର ଚାଲୁ ହୋଇ ନ ପାରିବା ଘଟଣା ବିଡ଼ମ୍ବନାର ବିଷୟ ପାଲଟିଛି। ଖଣି କର୍ତ୍ତୃପକ୍ଷ, ସରକାରୀ କଳ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଉଦାସୀନତା କାରଣରୁ ଏତେ ବଡ଼ ଖଣିଜ ପ୍ରକଳ୍ପ ବନ୍ଦ ହୋଇଯାଇ ଶହ ଶହ ଶ୍ରମିକଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ଦେଇଛି। ବାଧ୍ୟ ହୋଇ ଶ୍ରମଜୀବୀ ମାନେ ଭୋକ ଉପାସରେ ଦାଦନ ଖଟିବାକୁ ଗାଁ ଛାଡି ଦୂର ଦୂରାନ୍ତ ସହରକୁ ଚାଲିଯାଉଥିବା ସହିତ ଖଣି ଇଲାକାରେ ଏବେ ଶ୍ମଶାନର ନୀରବତା ପରିଦୃଷ୍ଟ ହୋଉଛି।
ଯଶିପୁର ବଜାରଠାରୁ ୩ କିମି ଦୂର ଖଇରୀ-ଭଣ୍ଡନ ନଦୀର ସଙ୍ଗମ ସ୍ଥଳଠାରୁ ଅଳ୍ପ ଦୂରରେ ୩୭୫ ଏକର ପରିମିତ ଜାଗାରେ ନଦୀକୂଳରୁ ଲାଗି ଏହି ଚୀନାମାଟି ଖଣି ଆବିଷ୍କୃତ ହୋଇଥିଲା। ତଦାନୀନ୍ତନ ମୟୂରଭଞ୍ଜ ମହାରାଜା ଏହି ବିରଳ ଚୀନାମାଟି ଖଣିରେ ଗୁରୁତ୍ବ ଉପଲବ୍ଧ କରି ୧୯୩୩ ମସିହାରେ ଖଣି ଖନନ ପାଇଁ ନିର୍ଦ୍ଦେଶ ଦେବା ପରେ ଉତ୍ତୋଳନ ଆରମ୍ଭ ହୋଇଥିଲା। ଲିଜ୍ ଧାରୀଙ୍କ ଲିଜକୁ ୧୦ ବର୍ଷ ପରେ ନବୀକରଣ କରାଯାଇ ମାଲ ରପ୍ତାନି ଚାଲୁ ରହିଥିଲା। ବିଧିବଦ୍ଧ ଭାବେ ସେହିବର୍ଷ ରାଜ୍ୟ ବାହାରର ଜନୈକ ଖଣିଜ ବ୍ୟବସାୟୀ ବଜରଙ୍ଗ ଲାଲ ପାଢିଆଏହାର ଲିଜ୍ ନେଇ ବ୍ୟବସାୟିକ ଦୃଷ୍ଟିରୁ ଏହାକୁ ନୂଆ ରୂପ ଦେଇ ଆରମ୍ଭ କରିଥିଲେ। ୧୫ ଶହରୁ ଉର୍ଦ୍ଧ୍ବ ଶ୍ରମିକ ଏଠାରେ ଦୈନିକ କାର୍ଯ୍ୟ ମାସିକ ୧୦୦୦ ରୁ ୧୨୦୦ ମେଟ୍ରିକ୍ ଟନ ଚୀନାମାଟି ଉତ୍ତୋଳନ କରି ରାଜ୍ୟ ବାହାରକୁ ପଠାଯାଇ ରାଜସ୍ବ ବୃଦ୍ଧି ଘଟି ଚାଲିଥିଲା। ଏହି ବ୍ୟବସାୟ ୧୯୮୮ ମସିହା ଶୀର୍ଷରେ ପହଞ୍ଚି ଥିବା ବେଳେ ୧୯୮୯ରେ ପାଢିଆ କମ୍ପାନି ଏହାକୁ ଛାଡ଼ି ଦେଇଥିଲେ। ତତ୍ ପରେ ସେବେଠାରୁ ୨୦୦୩ ମସିହା ପର୍ଯ୍ୟନ୍ତ ଅଶୋକ ଅଗ୍ରୱାଲାଙ୍କ ମାଲିକାନାରେ ଅରୁଣ ଉଦ୍ୟୋଗ ଏହାର ଲିଜ୍ ବ୍ୟବସାୟ ଆରମ୍ଭ କଲେ। ଏହାର ଉତ୍ତୋଳନ କ୍ଷମତା ପରେ ପରେ ହ୍ରାସ ପାଇ ମାସିକ ୪୦୦/୫୦୦ ଟନ ହୋଇ ଚାଲିଥିବା ବେଳେ ୨୦୦୩ ମସିହା ପର୍ଯ୍ୟନ୍ତ ଏଠାରେ ୭/୮ ଶହ ଶ୍ରମିକ କାମ କରି ଚାଲିଥିଲେ।
୨୦୦୩ ମସିହାରେ ଜଙ୍ଗଲ ପରିବେଶଗତ କାରଣ ଦର୍ଶାଇ ଏହାକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ପରେ ଏହି ଖଣିର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି। ପ୍ରତି ୨୦ ବର୍ଷ ଧରି ପରିଚାଳନାର ମୁଖ୍ୟ ଦାୟିତ୍ବ ତୁଲାଇ ଆସି ଏଯାବତ୍ ଏକୁଟିଆ ଖଣି ପରିସରରେ ରହୁଥିବା ମ୍ୟାନେଜର କୁଳମଣି ସାମନ୍ତ ଖଣିର ଦୁର୍ଭାଗ୍ୟ ନେଇ ଘୋର କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟର ଖଣି ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କୁ ନବୀକରଣ ପାଇଁ ବହୁ ଆବେଦନ କରାଯାଇ ଆସୁଥିଲେ ମଧ୍ୟ ଏଯାବତ୍ ଏ ଦିଗରେ ସକାରାତ୍ମକ ଫଳାଫଳ ମିଳିବା ସମ୍ଭବ ହୋଇ ନାହିଁ। ନବୀକରଣ ପାଇଁ ପରିବେଶଗତ କାରଣରୁ ୩ କୋଟି ୯୭ ଲକ୍ଷ ଟଙ୍କା ଜୋରିମାନା ଦାବି କରିବା ଘଟଣା ଖଣି ଲିଜ୍ ଧାରୀଙ୍କ ପାଇଁ ଘୋର ଅନ୍ତରାୟ ହୋଇଛି। ବିଭିନ୍ନ ସରକାରୀ ଦପ୍ତରରେ ଖଣି ଚାଲୁ କରିବା ପାଇଁ ଆନ୍ତରିକତାର ଅଭାବ ହେତୁ ଖଣି ବନ୍ଦ ହୋଇ ଏବେ ଜଙ୍ଗଲ ଗଛଲତାରେ ଏହା ପରିପୂର୍ଣ୍ଣ ହୋଇ ଯାଇଛି। ବହୁ ସାମଗ୍ରୀ ଏଠାରୁ ଚୋରି ଓ ଅନ୍ୟାନ୍ୟ ବହୁ ସାମଗ୍ରୀକୁ ସେ ତତ୍ତ୍ବାବଧାନ କରି ଜଗି ରହିଛନ୍ତି ଓ ସେସବୁ ନିଲାମ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ବର୍ଷ ଖଣି ପରିଚାଳନରେ ଶହ ଶହ ଶ୍ରମିକଙ୍କ ପରିବାରରେ ହସଖୁସିର ପରିବେଶ ଥିବା ବେଳେ ପରିଚାଳନା କର୍ତ୍ତୃପକ୍ଷ ଠିକ୍ ଦରମା ଦେଇ ସେମାନଙ୍କ ମଧ୍ୟରେ କେତେକ ପାଇଁ ପେନସନ ବ୍ୟବସ୍ଥା କରିବାର ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ଚୀନାମାଟି ଖଣିରୁ ବାହାରୁଥିବା କଞ୍ଚାମାଲ ଭାରତର ଅନ୍ୟ କ୍ଵଚିତ ସ୍ଥାନରେ ମିଳୁଥିବାରୁ ଏହାର ଚାହିଦା ଅନେକ। ଏଥିରୁ ‘ଗ୍ଲେଜ ଟାଇଲ’ ଉତ୍ପାଦନ ମାଧ୍ୟମରେ ପ୍ରୋସେସିଂ କରି ଗୁଣ୍ଡ ଚୀନାମାଟିକୁ ପ୍ୟାକିଂ କରି ଗୁଜୁରାଟ, ମୁମ୍ବାଇ, କୋଲକାତାକୁ ପଠାଯାଇ ପାରୁଥିଲା ଓ ଭାରତ ପାକିସ୍ତାନ ସୀମାନ୍ତ ଭୁଜ, କଚ୍ଛ ଆଦି ସହରରେ ଏହି ଚୀନାମାଟିକୁ ଭିତ୍ତି କରି କଳ କାରଖାନା ଗଢି ଉଠିଥିଲା। ମାତ୍ର ଖଣି ବନ୍ଦ ପରେ ରପ୍ତାନି ବନ୍ଦ ଯୋଗୁଁ ସର୍ବ ଭାରତୀୟ ସ୍ତରରେ ଏହି ଶିଳ୍ପରେ ଗୁରୁତର ସଙ୍କଟ ଦେଖା ଦେଇଛି। ବିଶେଷ ଉଲ୍ଲେଖଯୋଗ୍ୟ ଚୀନାମାଟି ପ୍ଲେଟ୍, କପ୍ ଠାରୁ ଆରମ୍ଭ କରି କସମେଟିକ ସାମଗ୍ରୀ, ରଙ୍ଗ, ବିଭିନ୍ନ ଔଷଧ ଆଦିରେ ଏହା ବ୍ୟବହୃତ ହୋଇ ୧୦୦ରୁ ଉର୍ଦ୍ଧ୍ୱ ସମଗ୍ରୀ ଉତ୍ପାଦନରେ ସାହାଯ୍ୟ କରୁଥିବାରୁ ଏହି ଖଣିର ଚାହିଦା ଅପରିସୀମ। ଏହାକୁ କାର୍ଯ୍ୟକ୍ଷମ କରିବାକୁ ସବୁମହଲରେ ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି ସରକାରୀ କର୍ତ୍ତୃପକ୍ଷ ଓ ନେତୃବୃନ୍ଦଙ୍କ ସୁଦୃଷ୍ଟି ଅପରିହାର୍ଯ୍ୟ।
ଏ ଅଂଚଳର ଖଣିଖାଦାନ ଓ ଶ୍ରମିକଙ୍କ ସମସ୍ୟା ନେଇ ଦୀର୍ଘ ୪୦ ବର୍ଷ ଧରି ସଂଗ୍ରାମ କରି ଆସିଥିବା ଏଆଇୟୁଟିୟୁସିର ରାଜ୍ୟ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚୀନାମାଟି ଖଣି ପ୍ରସଙ୍ଗରେ ସେ ମନ୍ତବ୍ୟ ଦିଅନ୍ତି, ଖଣିରେ ବନ୍ଦ ଫଳରେ ଶହ ଶହ ଶ୍ରମଜୀବୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇଛି। କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ସେ ତୀବ୍ର ବିରୋଧ କରି କହିଛନ୍ତି ଏମଏମଡିଆର୍ ଆକ୍ଟରେ ଘନ ଘନ ପରିବର୍ତ୍ତନ ଆସୁଥିବାରୁ ଖଣି ଲିଜ୍ କର୍ତ୍ତୃପକ୍ଷ ଲିଜ୍ ନବୀକରଣ ପାଇଁ ବହୁ ବାର ଚେଷ୍ଟା କରି ଆସୁଥିଲେ ମଧ୍ୟ ଏଥିରେ ଫଳାଫଳ କିଛି ହୋଉନାହିଁ। ଏ ଦିଗରେ ତୁରନ୍ତ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଖଣି ଚାଲୁ କରିବାକୁ ଯଥେଷ୍ଟ ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର