ଲାଞ୍ଚ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିରାଣି ଭିଜିଲାନ୍ସ ଦ୍ୱାରା ଗିରଫ

ଠାକୁରମୁଣ୍ଡା : ଲାଞ୍ଚନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ କିରାଣି ବିଭୀଷଣ ବେହେରା। ସ୍ୱାସ୍ଥ୍ୟକେନ୍ଦ୍ରର ଏଏନ୍‌ଏମ ଅନିତା ସାହୁଙ୍କ ଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ପ୍ରକାଶ ଯେ, ଅନିତା ଅଗଷ୍ଟ ୨୦୧୬ରେ ବର୍ଷେ ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀ ନିମନ୍ତେ କଲିକତା ଟ୍ରେନିଂ ଯାଇଥିଲେ। । ସେଠାରୁ ଫେରିବା ପରେ ଇଏଲ୍‌ ଅନୁମୋଦନ ପାଇଁ ସିଡିଏମ୍‌ଓଙ୍କ ନିକଟକୁ ଆବଶ୍ୟକ ପତ୍ର ପଠାଇବା ଦିଗରେ କିରାଣି ଶ୍ରୀ ବେହେରା ତାଙ୍କୁ ହଇରାଣ କରି ଆସୁଥିଲେ। ପିଏଚ୍‌ଇଓ ପଦବି ନିମିତ୍ତ ଆବେଦନ କରିବା ପାଇଁ ଆଉ ୬ ଦିନ ବାକି ଥିବା ବେଳେ ସିସିଆର ମଧ୍ୟ ପଠାଇ ନଥିଲେ। ଉଚ୍ଚାଧିକାରୀଙ୍କ ତାଗିଦ ସତ୍ତ୍ୱେ ଶ୍ରୀ ବେହେରା କିଛି ଶୁଣି ନ ଥିଲେ। ବରଂ ଟଙ୍କା ନ ଦେଲେ କାମ ହୋଇପାରିବ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ଅନିତା ବାଧ୍ୟହୋଇ ଭିଜିଲାନ୍ସର ଆଶ୍ରୟ ନେଇଥିଲେ।

ଆଜି ପ୍ରାୟ ଦେଢ଼ଟା ବେଳେ ଅନିତା ତାଙ୍କୁ ଅଫିସ ଭିତରେ ୪ଟି ୫ ଶହ ଟଙ୍କିଆ ନୋଟ ମୋଟ ୨ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁକରି ନେଇଥିଲେ। ଚଢ଼ଉ ବେଳେ ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ ସାମନ୍ତରାୟଙ୍କ ନେତୃତ୍ୱରେ ସବ୍‌-ଇନ୍‌ସପେକ୍ଟର ଅନିରୁଦ୍ଧ ନାଏକ, ପ୍ରଦୀପ କୁମାର ସାମଲ ଓ ତାଙ୍କ ଟିମ୍‌ ସାମିଲ ଥିଲେ। ବିଭୀଷଣଙ୍କୁ ଭିଜିଲାନ୍ସ ଟିମ୍‌ ବାଲେଶ୍ୱର ନେଇଯାଇଥିବା ଜଣାପଡ଼ିିଛି।

ସମ୍ବନ୍ଧିତ ଖବର