ସବୁ ଭେଦଭାବ ଭୁଲି ସମସ୍ତେ ଏକାଠି ହୁଅ: ନିରଞ୍ଜନ

ମୟୂରଭଞ୍ଜରେ କଂଗ୍ରେସର ଜନ ଜାଗରଣ ଯାତ୍ରା, ପୃଥକ ପୃଥକ ପଦଯାତ୍ରା ଅ‌ାୟୋଜନ କଲେ ଦୁଇ ଗୋଷ୍ଠୀ

କପ୍ତିପଦା/ଶାଳଚୁଆ : ବାଲେଶ୍ବର ପରେ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଜନଜାଗରଣ ଯାତ୍ରା ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ବ୍ଲକ୍‌ ଜାମବଣି ପଞ୍ଚାୟତର ନୂଆସାହି ବୀରାପାନ୍ ପଡିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଝରଣଘାଟିଠାରେ ପହଞ୍ଚିବା ପରେ ତାଙ୍କୁ ମାଦଳ, ଧୂମ୍‌ସା ତାଳେ ତାଳେ ସ୍ବାଗତ କରାଯାଇଥିଲା। ଏହାପରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ବିଜେଡ଼ି ସରକାର ଏବଂ କେନ୍ଦ୍ର‌େର ମୋଦୀ ସରକାରଙ୍କ ଉପରେ ବର୍ଷିବା ସହ ସମସ୍ତ ଭେଦଭାବ ଭୁଲି କଂଗ୍ରେସ କର୍ମୀମାନେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ହାଇଟେକ୍ ମେଡିକାଲ କଲେଜ୍ର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ସର୍ବଭାରତୀୟ ଆଦିବାସୀ ସେଲ୍‌ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ହାଁସଦା, ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ୍ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ, ଦଳର ଜିଲ୍ଲା ନେତାମାନଙ୍କ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଆଜି ମଧ୍ୟ ପଦାରେ ପଡ଼ିଛି। କଂଗ୍ରେସର ଦୁଇ ଗୋଷ୍ଠୀ ପୃଥକ ପୃଥକ ଭାବେ ଯାତ୍ରା ଆୟୋଜନ କରିଥିବାବେଳେ ଗୋଟିଏ‌ ଗୋଷ୍ଠୀର ନେତୃବୃନ୍ଦ ପିସିସି ସଭାପତିଙ୍କୁ ଭେଟି ସେମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ କରିବା ସହ ବର୍ତ୍ତମାନର ନେତୃତ୍ବ ବିରୋଧରେ ଫେରାଦ ହୋଇଛନ୍ତି। ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ପୃଥକ୍ ପୃଥକ୍ ଜନ ଜାଗରଣ ପଦଯାତ୍ରାକୁ କିଛି କର୍ମୀ ଗ୍ରହଣ କରି ପାରିନଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର