ଭିଜିଲାନ୍‌ସ ଜାଲରେ କୋଟିପତି ଫାର୍ମାସିଷ୍ଟ

ଚାରିମହଲା କୋଠା ଓ ଦେଢ଼ କୋଟିରୁ ଊର୍ଧ୍ବ ସମ୍ପତ୍ତି ଠାବ

ବାରିପଦା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି କୋଟିପତି ଫାର୍ମାସିଷ୍ଟ। ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଭାଲ୍‌କି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ସଞ୍ଜୀବ କୁମାର ପତି(୫୬)ଙ୍କ ତୁଳସୀଚଉରାସ୍ଥିତ ବାସଭବନ ସମେତ ଭାଲ୍‌କି ପିଏଚ୍‌ସିରେ ଆଜି ଭିଜିଲାନ୍‌ସ ଚଢ଼ଉ ହୋଇଛି। ବାରିପଦା ସ୍ବତନ୍ତ୍ର ଭିଜିଲାନ୍‌ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ଓ ବାରିପଦା ଭିଜିଲାନ୍‌ସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ତୁଳସୀଚଉରାରେ ଥିବା ୧ କୋଟି ୨୮ ଲକ୍ଷ ଟଙ୍କାର ଚାରିମହଲା କୋଠା ସମେତ ପ୍ରାୟ ଦେଢ଼ କୋଟିରୁ ଊର୍ଧ୍ବ ସମ୍ପତ୍ତି ଠାବ କରାଯାଇଛି। କେବଳ ସେତିକି ନୁହେଁ, ନଗଦ ୬୫ହଜାର ଟଙ୍କା ଜବତ କରିବା ସହିତ ଭିଜିଲାନ୍‌ସ ୧ଲକ୍ଷ ୯୮ହଜାର ଟଙ୍କାର ମୂଲ୍ୟର ଜମି, ବିଭିନ୍ନ ବ୍ୟାଙ୍କରେ ଥିବା ୨୮ ଲକ୍ଷ ୯୨ ହଜାର ଟଙ୍କା ମୂଲ୍ୟର ଜମାରାଶି, ୪୫ହଜାର ଟଙ୍କା ମୂଲ୍ୟର ଗାଡ଼ି, ପ୍ରାୟ ୨ଲକ୍ଷ ୩୯ ହଜାର ମୂଲ୍ୟର ଆସବାବପତ୍ର ଆଦି ସହିତ ପ୍ରାୟ ୧ କୋଟି ୬୨ଲକ୍ଷ ୪୪ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀ ପତିଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାକୁ ନେଇ ମଧ୍ୟ ଖୋଳତାଡ଼ ଜାରି ରହିିଥିଲା।
ଏସ୍‌ପି ଭିଜିଲାନ୍‌ସ ବାଲେଶ୍ବରଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଭିଜିଲାନ୍‌ସ ଡିଏସ୍‌ପି ଶରତ କୁମାର ମହାପାତ୍ର, ବାଲେଶ୍ବର ଡିଏସ୍‌ପି ଏସ୍‌ କେ ସାମନ୍ତରା, ଇନ୍‌ସପେକ୍ଟର ପି କେ ସାମଲ, ସବିତା ବେହେରା, ଅନିରୁଦ୍ଧ ନାୟକ, ବାସୁଦେବ ଅଧିକାରୀ, ଲଳିତ ରାଉତ, ତରୁଣ ପାଲବାବୁ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ। ତେବେ ଠାବ କରାଯାଇଥିବା ସମ୍ପତ୍ତିର ପରିମାଣ ୯୫ଲକ୍ଷ ଟଙ୍କାରୁ ଊର୍ଧ୍ବ ହୋଇଥିବାରୁ ଶ୍ରୀ ପତିଙ୍କ ନାମରେ ଭିଜିଲାନ୍‌ସ ମାମଲା ରୁଜୁ କରି ଗିରଫ କରିପାରେ ବୋଲି ଜଣାପଡ଼ିଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପତିଙ୍କ ନିକଟରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେବାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର