ଫେଲ୍‌ ମାରିଲା ସରକାରଙ୍କ ପରୀ ଏକ୍ସପ୍ରେସ୍‌ ଯୋଜନା:୫ ବର୍ଷୀୟା ନିଷ୍ପାପ ପରୀ ଦୁଷ୍କର୍ମର ଶିକାର

ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି : ଦୁଷ୍କର୍ମ ଅଭିଯୁକ୍ତ ୩୫ ବର୍ଷୀୟ ଯୁବକ ଥାନାରେ ଅଟକ

ବାରିପଦା/ମାଣତ୍ରୀ: ଲଜ୍ଜାର ଅନ୍ତ ନାହିଁ। ସାରା ରାଜ୍ୟରେ କୁନି କୁନି ପରୀଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିବା ପରୀ ଏକ୍ସପ୍ରେସ୍‌ ଯୋଜନା ବଡ଼ସାହି ଥାନା ଅଞ୍ଚଳରେ ଫେଲ୍‌ ମାରିଛି। ବାପଛେଉଣ୍ତ ଜଣେ ୫ ବର୍ଷୀୟା ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି। ସଙ୍କଟାପନ୍ନ ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜ ଏଣ୍ତ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ବଡ଼ସାହି ପୁଲିସ ଅଭିଯୁକ୍ତ ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ନୂଆସାହିର କମଳଲୋଚନ ସି˚(୩୫)କୁ ଅଟକ ରଖିଛି।
ଘଟଣାଅନୁସାରେ ପିଡ଼ୀତା ଶିଶୁକନ୍ୟା ମଙ୍ଗଳବାର ଦିନ ପ୍ରାୟ ୪ଟା ସମୟରେ ନିଜ ଘର ପାଖ ଦାଣ୍ତରେ ଖେଳୁଥିଲା। ଯୁବକ ଜଣଙ୍କ ପୀଡ଼ିତାଙ୍କୁ ଖେଳିବା ସ୍ଥାନରୁ ମିଠା କଥା କହି ପ୍ରଲୋଭନ ଦେଖାଇ ସାଇକେଲ୍‌ରେ ବସେଇ ଜଙ୍ଗଲ ଭିତରକୁ ନେଇଯାଇଥିଲା ଏବଂ ସେଠାରେ ତା’କୁ ଦୁଷ୍କର୍ମ କରିବା ପରେ ସନ୍ଧ୍ୟାବେଳକୁ ତା’ର ଘର ନିକଟରେ ଛାଡ଼ି ଦେଇଥିଲା। ବହୁ କଷ୍ଟରେ କୁନି ଝିଅଟି ଘରକୁ ଯିବା ପରେ ନିଜ ମା’ଙ୍କୁ ପେଟବ୍ୟଥା କରୁଥିବା କହିଥିଲା। ପରେ ତା’ ପ୍ରତି ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଥିଲା। ଶରୀରରୁ ଅତିଶୟ ରକ୍ତ କ୍ଷରଣ ହେଉଥିବାରୁ ତୁରନ୍ତ ପୀଡ଼ିତାଙ୍କୁ ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡ଼ିକାଲ ଏଣ୍ତ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।
ଏଣେ ଏହି ଘଟଣା ସଂପର୍କରେ ସମସ୍ତେ ଜାଣିଯିବା ପରେ ଅଭିଯୁକ୍ତ କମଳଲୋଚନ ଫେରାର‌୍‌ ହୋଇଯାଇଥିଲା। ମାତ୍ର ପୁଲିସ୍‌ ତା’କୁ ଖୋଜାଖୋଜି କରି ସକାଳେ ତା’କୁ ଧରି ଥାନାକୁ ଆଣିଥିଲା। ଅଭିଯୁକ୍ତ ଜଣେ ଦିବ୍ୟାଙ୍ଗ ଏବ˚ ସେ ବହୁ ବିବାହ କରିଥିବା ଜଣାପଡ଼ିଛି। ଏନେଇ ବଡ଼ସାହି ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପୀଡ଼ିତା ଶିଶୁକନ୍ୟାର ବାପାଙ୍କର ପରଲୋକ ହୋଇଯାଇଛି। ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଏବ˚ ତାଙ୍କ ମା’ ନିଜ ଭତ୍ତା ଟଙ୍କାରେ ପରିବାର ପ୍ରତିପୋଷଣ କରିଥାଆନ୍ତି। ଅଭିଯୁକ୍ତ ଯୁବକକୁ କଠୋରରୁ କଠୋର ଦଣ୍ତ ଦେବା ସହିତ ପିଡ଼ୀତାଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି।
ଦୁଷ୍କର୍ମକାରୀ ବିଷୟରେ ମୁହଁ ଖୋଲିଲା ପୀଡ଼ିତା
ଦୁଷ୍କର୍ମରେ ଶିକାର ହୋଇଥିବା ଶିଶୁକନ୍ୟା ଜଣକ କିନ୍ତୁ ନିଜ ସାହସିକତାର ପ୍ରଦର୍ଶନ କରି ଦୁଷ୍କର୍ମକାରୀ ଅଭିଯୁକ୍ତ ବିଷୟରେ ନିଜ ମା’ଙ୍କୁ ସବୁ କଥା କହିଥିଲା। ଗୁରୁତର ହୋଇଥିଲେ ସୁଦ୍ଧା ଅଭିଯୁକ୍ତ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲା। ଏହାସହିତ ପାଖ ପଡେ଼ାଶୀ ମଧ୍ୟ ଅଭିଯୁକ୍ତ ପିଡ଼ୀତାଙ୍କୁ ସାଇକେଲ୍‌ରେ ବସେଇ ନେଉଥିବା ପ୍ରକାଶ କରିଥିଲେ। ଏହି ସୂଚନା ଆଧାରରେ ଅଭିଯୁକ୍ତ ନିକଟରେ ପହଞ୍ଚିପାରିଥିଲା ପୁଲିସ୍‌।

ସମ୍ବନ୍ଧିତ ଖବର