ଶିକ୍ଷକ ସମାଜ ପାଇଁ କଳଙ୍କ ସାଜିଲେ ପ୍ରଧାନଶିକ୍ଷକ

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ:ଅଭିଯୁକ୍ତ ଶିକ୍ଷକଙ୍କୁ ଲଣ୍ଡା କରିଦେଲେ ଗ୍ରାମବାସୀ

ଚିତ୍ରଡ଼‌ା/ଶୁଳିଆପଦା: ଗୁରୁ ଶବ୍ଦରେ ପୁଣି ଲାଗିଲା କଳଙ୍କ। ପାଠ ପଢ଼ାଇବା ଆଢୁଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷକ। ଅଭିଭାବକ ଓ ସରଳ, ନିରୀହ ଛାତ୍ରୀଙ୍କ ବିଶ୍ବାସ ଭାଙ୍ଗିଲେ। ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ସ୍କୁଲ ପରିସରରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି। ତିନି ଦିନ ତଳେ ଘଟିଥିବା ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବର ପାଇ ମଧ୍ୟ ଶିକ୍ଷାବିଭାଗ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ଅଭିଭାବକ ଓ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରି ଆଇନକୁ ହାତକୁ ନେଇଥିବା ଜଣାପଡ଼ିଛି।
ଗତ ୨୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡ଼ିଆ ପଞ୍ଚାୟତ ଅଧୀନ ନୁହାମାଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଥିଲା ଏହି ନିନ୍ଦନୀୟ ଘଟଣା। ଏହି ସ୍କୁଲର ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୩ଜଣ ନାବାଳିକା ଛାତ୍ରୀଙ୍କୁ
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଯ୍ୟାୟ କ୍ରମେ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପରେ ପୀଡ଼ିତା ଛାତ୍ରୀମାନେ କାନ୍ଦିକାନ୍ଦି ତାଙ୍କର ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକମାନେ ଏହା ଜାଣିବା ପରେ ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନଙ୍କୁ ଜଣାଇ ସଂପୃକ୍ତ ଶିକ୍ଷକଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ଅନ୍ୟପଟେ ସରଳ ନିଷ୍ପାପ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକ ଅନଙ୍ଗଦେଵ ଟିପିରିଆ ମୁଣ୍ଡବିନ୍ଧା ହେଉଥିବା ଦର୍ଶାଇ ସ୍କୁଲକୁ ନଆସି  ଅନ୍ୟଜଣେ ଶିକ୍ଷୟତ୍ରୀଙ୍କୁ ଫୋନରେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଘଟଣାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହେବାରୁ ଅଭିଭାବକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଓ ଅଭିଭାବକମାନେ  ପୂର୍ବାହ୍ନ ରେ ପହଞ୍ଚି ପ୍ରତିବାଦ କରିବା ସହ ପ୍ରଧାନଶିକ୍ଷକ ଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଥିଲେ । ପରେ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକ ଅନଙ୍ଗ ଦେବ ଟିପିରିଆ ଏକ ବୋଲେରରେ ନିଜ ପତ୍ନୀ ଓ ଦୁଇ ପୁତୁରା ସହ ସ୍କୁଲ ପରିସରରେ ପହଞ୍ଚିବାରୁ ଉତ୍ତେଜିତ ଅବସ୍ଥାରେ ଥିବା ଗ୍ରାମବାସୀ ଅଧିକ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟତ ହୋଇଥି‌ଲେ। ତେବେ ଅନଙ୍ଗ ଦେବ ପରିବାର ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ଦେହ ଖରାପ ଅଛି । ସେ ମେଡିକାଲରେ ଥିଲେ । ସେ ଏବେ ଠିକ୍‌ ଭାବରେ ଚାଲିପାରୁ ନାହାନ୍ତି, ତେଣୁ ତାଙ୍କ ସହ ଆମେ ଆସିଛୁ। ତେବେ ଦୁଇ ପୁତୁରାଙ୍କ ସହ ଗ୍ରାମବାସୀଙ୍କ ସହ କଥା କଟାକଟି ହେବାରୁ ଗ୍ରାମବାସୀ ସେମାନଙ୍କୁ ଠେଲାପେଲା କରିବା ସହ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଲଣ୍ଡା କରି ଦେଇଥିଲେ।
ପରେ ସ୍ଥାନୀୟ ଶୁଳିଆପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ  ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ପ୍ରଧାନଶିକ୍ଷକଙ୍କୁ ନେଇ ପ୍ରଥମେ କୋଷ୍ଠା ଡାକ୍ତରଖାନା ରେ ଚିକିତ୍ସିତ କରିବା ପରେ ଥାନା କୁ ନେଇ ଅଟକ ରଖିଥିଲା। ଖବର ଲେଖା ହେବା ସୁଦ୍ଧା ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ୟ୍ଯାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଆଉ କୌଣସି ଶିକ୍ଷକ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିବାକୁ ସାହାସ କରିବେନି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର