ଦି’ ଓଳି ପେଟପୂରା ଖାଇବାକୁ ମିଳିଲାନି :ହଷ୍ଟେଲ୍‌ ଛାଡ଼ିିଲେ ୧୦ ଭୋକିଲା ଅନ୍ତେବାସୀ

ପ୍ରଧାନ ଶିକ୍ଷକ ନିଲମ୍ବିତ :୨୦ ଅନ୍ତେବାସୀ ସ୍ଥାନାନ୍ତର

ଯଶିପୁର/ପଦ୍ମପୁର: ଠିକ୍‌ ଭ‌ାବେ ଖାଇବାକୁ ଦେଉନାହାନ୍ତି। ଆମର ପେଟ ପୂରୁନି। ଭୋକରେ ଆଜ୍ଞା ଆମେ ରହିପାରୁନୁ..। ଖାଲି ପେଟରେ ପାଠ ପଢ଼ିବୁ କେମିତି..? ସେଇଥିପାଇଁ ଆମେ ହଷ୍ଟେଲ୍‌ ଛାଡ଼ି ଘରକୁ ପଳାଇବାକୁ ବାହାରିଛୁ..।

ଏ ଥିଲା ମୟୂରରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ଅନ୍ତର୍ଗତ ପାଣ୍ଠ ପଞ୍ଚାୟତ କେଂଝରା ଉଚ୍ଚ ପ୍ରାଥମିକ ସ୍କୁଲ୍‌ ନିକଟ ଆର୍‌ଏସଟି ଛାତ୍ରାବାସରେ ରହୁଥିବା ୧୦ ଜଣ ଅନ୍ତେବାସୀଙ୍କ କରୁଣ କଥା। ଛାତ୍ରାବାସ ଛ‌ାଡ଼ି ପଳାଉଥିବା ବେଳେ କାରଣ ପଚାରିବା ପରେ ଛାତ୍ରାବାସର ସବୁ କଥା ପଦାକୁ ଅାସିଛି।
ସୂଚନା ଅନୁସା‌ରେ, ମୟୂରଭଂଜ ଜିଲ୍ଲା ଶିମିଳିପାଳର ଗୁରୁଗୁଡ଼ିଆ, ବରେହିପାଣି ଓ ଅସ୍ତକୁମର ପଞ୍ଚାୟତର ୨୦ ଜଣ ଅନ୍ତେବାସୀ କେଂଝରା ଆର୍‌ଏସ୍‌ଟି ଛାତ୍ରାବାସରେ ରହି ପାଠ ପଢ଼ନ୍ତି। ଆଜି ସେମାନଙ୍କ ମଧ୍ୟରୁ ଆଜି ୧୦ ଜଣ ଅନ୍ତେବାସୀ ଛାତ୍ରାବାସ ଛାଡ଼ି ଘରକୁ ପଳାଇଥିଲେ। ପ୍ରାୟ ୪ କିମି ଯିବା ପରେ ଟଙ୍ଗାବିଲା ବଜାର ଛକ ନିକଟରେ ସ୍ଥାନୀୟ ସମିତି ସଭ୍ୟ ନଳୀନ ହେମ୍ବ୍ରମ ସେମାନଙ୍କୁ ଦେଖି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ସେ ସେମାନଙ୍କୁ ଖାଇବାକୁ ଦେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ଖବର ପାଇ ବିଇଓ ବିରଞ୍ଚି ପ୍ରସାଦ ଅଧିକାରୀ ଓ ଏବିଇଓ କଲ୍ୟାଣ ସେଠୀ ସେଠାରେ ପହଞ୍ଚି ଘଟଣା ବାବଦରେ ପଚାରି ବୁଝିଥିଲେ। ପିଲାମାନେ ଅଭିଯୋଗ କରିଥିଲେ ଯେ ସ୍କୁଲ୍‌ର ୩ ଜଣ ରୋଷେୟା ଜଣେ ପରେ ଜଣେ ଚାଲି ଯାଇଥିବାରୁ ଏକ ସପ୍ତାହ ହେଲାଣି ଖାଇବା ପିଇବାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଏମିତି କି ଦି’ଓଳି ଭଲରେ ଖାଇବାକୁ ମିଳୁନି। ରାତିରେ ସେମାନେ ମୁଢ଼ି ଖାଇ ରହିବାକୁ ବାଧ୍ୟ ହେଉଛନ୍ତି।
ପିଲାମାନଙ୍କଠାରୁ ସବୁକଥା ଶୁଣି ସାରିବା ପରେ ସେମାନଙ୍କୁ ବୁଝାସୁଝା କରି ସ୍କୁଲ୍‌କୁ ଫେରାଇ ନିଆଯାଇଥିଲା।

ଛାତ୍ର‌ାବାସରେ ବିଇଓ ଶ୍ରୀ ଅଧିକାରୀ ଓ ଏବିଇଓ ଶ୍ରୀ ସେଠୀଙ୍କ ସହ ସିଆର୍‌ସିସି ପ୍ରଫୁଲ୍ଲ ମହାନ୍ତ ପହଂଚି ଘଟଣାର ଅନୁସନ୍ଧାନ କରିଥିଲେ। ତେବେ ଅଭିଯୋଗ ସତ ବୋଲି ଜଣାପଡ଼ିବା ପରେ ପ୍ରଧାନଶିକ୍ଷକ ରସାନନ୍ଦ ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦେଶ ଦିଆଯାଇଛି। ସେହିପରି କେଂଝରା ଆର୍‌ଏସ୍‌ଟି ଛାତ୍ରାବାସକୁ ବନ୍ଦ କରାଯାଇ ସେଠାରେ ରହୁଥିବା‌ ସମସ୍ତ ୨୦ ଜଣ ଛାତ୍ରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ୧୦ ଜଣ ଗୋଇଲି ଆର୍‌ଏସ୍‌ଟି ଛାତ୍ରାବାସରେ ଏବଂ ୧୦ ଜଣ ଧାତିକିଆ ଆର୍‌ଏସ୍‌ ଛାତ୍ରାବାସକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ନିଲମ୍ବନ ହୋଇଥିବା ଶ୍ରୀ ମହାନ୍ତ କେଂଝରା ଉଚ୍ଚ ପ୍ରାଥମିକ ସ୍କୁଲ୍‌ର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଆର୍‌ଏସ୍‌ଟି ଛାତ୍ରାବାସର ତତ୍ତ୍ୱାବଧାରକ ଦାୟିତ୍ବ ତୁଲାଉଥିଲେ। ସେହିପରି ସିଆର୍‌ସିସି ଭାବେ ମଧ୍ୟ ସେ କାର୍ଯ୍ୟ କରନ୍ତି।

ସମ୍ବନ୍ଧିତ ଖବର