ନେତା ଓ ପ୍ରଶାସନ ମୁହଁରେ ଛାଟ; ଭୋଟ୍‌ ବର୍ଜନ କରିବେ ଜାମୁନାଳିଆର ୫ଶହ ଭୋଟର

-୧୫ ବର୍ଷ ହେଲା ନେତା ରଖିଲେନି ପ୍ରତିଶ୍ରୁତି -ତିଆରି ହେଲାନି ପୋଲ, ମରାମତି ହେଲାନି ରାସ୍ତା -ଆଜି ବି ଖଟିଆରେ ବୁହା ହେଉଛନ୍ତି ରୋଗୀ, ଗର୍ଭବତୀ

କରଞ୍ଜିଆ: ରାତି ପାହିଲେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମତଦାନ। ସବୁଆଡ଼େ ସଜବାଜ; ପ୍ରଶାସନଠୁ ନେଇ ନେତା ଓ କର୍ମୀ ସବୁ ତତ୍ପର ଓ ଚଳଚଞ୍ଚଳ। ହେଲେ କରଞ୍ଜିଆ ବ୍ଲକ୍‌ ପାଟବିଲ ପଞ୍ଚାୟତ ଜାମୁନାଳିଆ ଗ୍ରାମବାସୀ କିନ୍ତୁ ଏଥର ଦେବେନି ଭୋଟ୍‌। ଭାରତୀୟ ସମ୍ବିଧାନ ସେମାନଙ୍କୁ ଦେଇଥିବା ସବୁଠୁ ବଡ଼ ଅଧିକାରକୁ ସେମାନେ ସାବ୍ୟସ୍ତ କରିବେନି। ସରକାର ଗଠନରେ ରହିବନି ସେମାନଙ୍କ ଅବଦାନ। ଆଉ ଗ୍ରାମବାସୀଙ୍କ ଏହି କ‌ଠୋର ନିଷ୍ପତ୍ତିର କାରଣ ହେଉଛି ବର୍ଷବର୍ଷ ଧରି ପ୍ରଶାସନର ଅବହେଳା ଓ ରାଜନେତାଙ୍କ ମିଛି ପ୍ରତିଶ୍ରୁତି।
ଆଜି ବି ଅନେକ ମୌଳିକ ସୁବିଧ ସୁଯୋଗରୁ ବଞ୍ଚିତ ହୋଇ ରହିଛି ଏହି ଜମୁନାଳିଆ ଗାଁ। ଗାଁଟି ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ। ଏଠାରେ ବସବାସ କରନ୍ତି ୧୫ଶହରୁ ଉର୍ଧ୍ବ ଲୋକ। ଏଥି ମଧ୍ୟରୁ ଭୋଟରଙ୍କ ସଂଖ୍ୟା ପ୍ରାୟ ୫ ଶହ। ଗାଁ ଲୋକେ ଗରୀବ ଶ୍ରେଣୀୟ ହୋଇଥିବାରୁ ଦୈନିକ ଗୁଜୁରାଣ ମେଣ୍ଟାଇବା ପାଇଁ ବେଶ୍‌ ସଂଘର୍ଷ କରିବାକୁ ପଡ଼େ। ତେବେ ସବୁ ସଂଘର୍ଷକୁ ବଳିଯାଇଛି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବାର ଦୁଃଖ।
ଗ୍ରାମକୁ ସଂଯୋଗ କରିବାକୁ ଭଲ ରାସ୍ତାଟିଏ ନାହିଁ। ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୁଏ ଗାଁ। ଆଉ ଏହାର ସମାଧାନ ପାଇଁ ଗ୍ରାମକୁ ସଂଯୋଗ କରିବାକୁ ଏକ ପୋଲ ନିର୍ମାଣ ସହ ଓ କଳାକାଦ-ଜାମୁନାଳିଆ-ବାଘଲତା ଦେଇ ଯାଇଥିବା ରାସ୍ତାର ମରାମତି ପାଇଁ ଦାବି ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଗତ ୧୦-୧୫ ବଷ ମଧ୍ୟରେ ଏ ନେଇ ନେତାଙ୍କଠୁ ନେଇ ବଡ଼ ବଡ଼ ପ୍ରଶାସନକି ଅଧିକାରୀ ସମସ୍ତଙ୍କୁ ଜଣାଇଛନ୍ତି ଗ୍ରାମବାସୀ। ସରପଞ୍ଚଙ୍କଠୁ ନେଇ ବିଧାୟକ ଯାଏ ଅନେକ ଥର ଗାଁର ଦୁର୍ଦ୍ଦଶା ବିଷୟରେ ଅବଗତ ହୋଇଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଖା‌ଲଖମା ରାସ୍ତା ଓ ଦରଭଙ୍ଗା ପୋଲ ପରି ନେତାଙ୍କ ପ୍ରତିଶ୍ରୁତି ବି ବିକଳାଙ୍ଗ ହୋଇ ରହିଛି। ଆଉ ଏ ସବୁ ଭିତରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ। ବର୍ଷାଦିନେ ଏହି ଗାଁ ପିଲାଙ୍କ ସ୍କୁଲ ଯିବା ବନ୍ଦ। ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପହଞ୍ଚି ପାରେନି। ଜୀବନ ମରଣ ସମସ୍ୟା ଭିତରେ ରୋଗୀଙ୍କୁ ଖଟିଆରେ ବୁହା‌ହୋଇ ମୁଖ୍ୟ ସଡ଼କ ପାଖକୁ ଅଣାଯାଏ। ଆଉ ଏ ଭିତରେ ଯଦି କାହାର ଜୀବନ ହାନୀ ହେଲା ସେଥିପାଇଁ କାହାକୁ ଦାୟୀ କରିବେ ବୋଲି ଉତ୍ତର ପାଆନ୍ତିନି ଗ୍ରାମବାସୀ। ସେହିପରି ନିକଟସ୍ଥ ବାଘଲତା ଗାଁକୁ ବି ପାଦଚଲା ରାସ୍ତାଟିଏ ନାହିଁ। ଏଠାରେ ମଧ୍ୟ ଚିକିତ୍ସା ସୁବିଧା ଅପହଞ୍ଚ। ହେଲେ ଏତେ ସବୁ ସମସ୍ୟା ପ୍ରତି ଯେମିତି ନେତା କି ପ୍ରଶାସନ କାହାରି ଉତ୍ତର ଦାୟିତ୍ବ ନାହିଁ। ସମସ୍ତେ ସାଜିଛନ୍ତି ନିରବଦ୍ରଷ୍ଟା। ଆଉ ଏହାର ପ୍ରତିବାଦ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗ୍ରାମର ୫ ଶହ ଭୋଟର ଏଥର ଭୋଟ୍‌ ବର୍ଜନ କରିବେ ବୋଲି ଆଜି ଗ୍ରାମସଭା ଡକାଇ ସ୍ଥିର କରିଛନ୍ତି ଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏବେ ସାରା ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଥିବା ବେଳେ ୫ ଶହ ନାଗରିକ ଏଥିରେ ସାମିଲ ନହେବା ନେତା ଓ ପ୍ରଶାସନ ମୁହଁରେ ଛା‌ଟ ସଦୃଶ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର