ମୟୁରଭଞ୍ଜ: ପରକୀୟା ପ୍ରେମର କରୁଣ ପରିଣତି, ସ୍ତ୍ରୀଙ୍କ ପ୍ରେମିକକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୋରଡା: ପରକୀୟା ପ୍ରେମର କରୁଣ ପରିଣତି ମଙ୍ଗଳବାର ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବାଘାଝରଣ ଗାଁର ଡାହିସାହିରେ ଜଣେ ବିବାହିତ ଯୁବକ ତା’ର ସ୍ତ୍ରୀଙ୍କ ପ୍ରେମିକକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି। ସୋମବାର ମଧ୍ୟ ରାତ୍ରିରେ ହତ୍ୟା ପରେ ମୃତଦେହକୁ ବିଲରେ ଫିଙ୍ଗିବା ପରେ ମଙ୍ଗଳବାର ଘଟଣା ପଦରେ ପଡ଼ିଛି।

ରିପୋର୍ଟ ଅନୁସାରେ ଠାକୁର ମରାଣ୍ଡି (୩୫) ସୋମବାର ରାତି ନିଜ ସ୍ତ୍ରୀଙ୍କ ପ୍ରେମିକକୁ ଠେଙ୍ଗାରେ ପିଟିପିଟି ମାରିଥିବା ମଙ୍ଗଳବାର ମୋରଡା ଥାନାରେ ସ୍ୱୀକାର କରିଛି। ଅଭିଯୁକ୍ତ ଠାକୁର କହିଛି, ରାତିରେ ଶୋଇଥିବା ବେଳେ ଓଝା ବାବୁ ନାମରେ ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲେ। ଓଝା ବାବୁ ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସଂପର୍କ ସ୍ଥାପନ କରୁଥିବା ସେ ଦେଖିଥିଲେ। ଏହା ପରେ ସେ କ୍ରୋଧରେ ଜର୍ଜରିତ ହୋଇ ଅନ୍ୟ ଉପାୟ ନପାଇ ଓଝା ବାବୁଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ପରେ ମୃତଦେହକୁ ଘୋଷାରି ଘୋଷାରି ନେଇ ବିଲରେ ଫିଙ୍ଗି ଦେଇଥିଲେ।

ଆଜି ସକାଳୁ ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ। ସେମାନେ ସୂଚନା ଦେବାରୁ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ପୁଲିସ ପହଞ୍ଚିଥିଲା। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବାରିପଦା ପଠାଇ ଦେଇ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ଠାକୁର ମରାଣ୍ଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ପୁଲିସ କହିଛି, ମହିଳା ଜଣକ ଚିତ୍ରୋଡା ଠାରେ ଥିବା ଏକ ଧାନ ଫାଉଣ୍ଡେସନ୍‌ରେ କାମ କରୁଥିଲେ। ସେଠାରେ ସେ ଓଝା ବାବୁଙ୍କ ସହିତ ପରିଚିତ। ମାତ୍ର ଓଝା ବାବୁଙ୍କ ସଂପୂର୍ଣ୍ଣ ନାମ ଅଥବା ତାଙ୍କ ବିଷୟରେ କିଛି ଜାଣି ନାହାନ୍ତି। ବିଭିନ୍ନ ଘଟଣାକୁ ଆଧାର କରି ପୁଲିସ ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର