ମକର ସଂକ୍ରାନ୍ତିକୁ ନେଇ ଉତ୍ସବମୁଖର ମୟୂରଭଞ୍ଜ:ଆଧୁନିକତା ଭିିତରେ ବାଟ ହୁଡ଼ିନି ପରମ୍ପରା

ବାରିପଦା(ରାଜ କିଶୋର ଦାଶ): ଆଧୁନିକତାର ଭିଡ଼ରେ ବାଟ ହୁଡ଼ିଲାଣି ଅନେକ ପ୍ରଥା ଓ ପରମ୍ପରା। ଲୋକେ ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତାକୁ ଆପଣେଇବାକୁ ଯାଇ ନିଜ ମାଟିର ପରିଚୟକୁ ଭୁଲିବାକୁ ବସିଲେଣି। ହେଲେ ଆଧୁନିକତାର ବେଢ଼ିରୁ ଏବେ ବି ନିଜକୁ ମୁକ୍ତ ରଖିଛନ୍ତି ମୟୂରଭଞ୍ଜବାସୀ। ଚାକଚକ୍ୟକୁ ଭୁଲି ମକରର ମହକ ଭିତରେ ପ୍ରତିବର୍ଷ ଖୋଜି ଚାଲିଛନ୍ତି ନିଜକୁ ନିଜ ପରମ୍ପରା ଭିତରେ। ସବୁ ଦୁଃଖକୁ ଭୁଲି ପାର୍ବଣର ମା‌େହାଲରେ ନିଜକୁ ହଜେଇ ଦେଇଛନ୍ତି ଓ ନିଜ ପରମ୍ପରାକୁ ଜାବୁଡ଼ି ରଖିବାର ପଣ କରିଛନ୍ତି। ଏଥର ମଧ୍ୟ ମକରକୁ ଠିକ୍‌ ଏମିତି ଢ଼ଙ୍ଗରେ ପାଳିବା ପାଇଁ ପ୍ରସ୍ତୁତ ମୟୁରଭଞ୍ଜବାସୀ।


ହିନ୍ଦୁ ଧର୍ମ ଓ ପରମ୍ପରାରେ ମକର ସ˚କ୍ରାନ୍ତି ପାଳନର ମହାତ୍ମ୍ୟ ବହୁ ପ୍ରାଚୀନ। ଉକ୍ତଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ ଏବ˚ ସୂର୍ଯ୍ୟ ଧନୁରାଶିରୁ ମକର ରାଶିରେ ପ୍ରବେଶ କରିଥାଆନ୍ତି। ବିଶ୍ବାସ ରହିଛି ଯେ ଉକ୍ତଦିନ ଗଙ୍ଗାରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ଏବ˚ ଦାରିଦ୍ର୍ୟ ଦୂର ହୁଏ। ଏହି ପବିତ୍ର ଦିବସକୁ ଆନ୍ଧପ୍ରଦେଶରେ ପୋଙ୍ଗଲ୍‌ ଏବ˚ ଉତ୍ତର ଓଡ଼ିଶାର ସାନ୍ତାଳ ସମ୍ପ୍ରଦାୟରେ ‘ସାକ୍ରାତ’ ନାମରେ ଧୂମ୍‌ଧାମରେ ପାଳନ କରାଯାଇଥାଏ। ମକର ସ˚କ୍ରାନ୍ତିରୁ ଶୀତର ପ୍ରକୋପ ହ୍ରାସ ପାଇଥାଏ। ଏହି ସମୟକୁ ପ୍ରାୟତଃ ଧାନ ଅମଳ ହୋଇ ଖଳାକୁ ଆସି ସାରିଥାଏ। ତେଣୁ ଖାଇବା ପିଇବାର ଅଭାବ ନଥାଏ। ଲୋକମାନେ ମକର ସ˚କ୍ରାନ୍ତିକୁ ଖିଆପିଆ ଓ ଦାନଧର୍ମ ଦେଇ ଉପଭୋଗ କରିଥାଆନ୍ତି। ବସ୍ତୁତଃ ମୟୂରଭଞ୍ଜ ଜିଲ୍ଲାରେ ଏହି ପର୍ବକୁ ଏକ ମହାମିଳନ ପର୍ବର ଆଖ୍ୟା ଦିଆଯାଇଥାଏ। ପଶ୍ଚିମ ଓଡ଼ିଶାରେ ନୂଆଖାଇ ପରି ଏହି ପର୍ବରେ ମଧ୍ୟ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇଥାଆନ୍ତି। ଜିଲ୍ଲାର ଗଣପର୍ବ ଭାବେ ପାଳନ କରାଯାଉଥିବା ଏହି ଉତ୍ସବରେ ଜିଲ୍ଲାବାସୀ ନୂଆ ବସ୍ତ୍ର ସାଙ୍ଗକୁ ଜମିଥାଏ ହସଖୁସିର ପସରା। ଚଳିତ ମକରକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଧନୀ ଗରୀବ ନିର୍ବିଶେଷରେ ସମସ୍ତେ ମକରର ଆନନ୍ଦକୁ ହର୍ଷ ଉଲ୍ଲାସର ସହିତ ପାଳନ କରୁଛନ୍ତି। ନୂଆବସ୍ତ୍ର, ମାଟିହାଣ୍ତି ସହିତ ତିଳଉ ଓ ତେଲ ମସଲା କିଣାକିଣି ବି ଜମିଲାଣି। ମକରବୁଡ଼ ପକାଇ ଲୋକମାନେ ମକର ପଲ୍ଲା ଜାଳି ସେକି ହେବାର ପରମ୍ପରା ରହିଥିବା ବିଶିଷ୍ଟ ଜନଜାତି ଗବେଷକ ଡ. ରାଜ କିଶୋର ନାୟକ ମତ ଦିଅନ୍ତି।

ରଜ ପର୍ବର ପୂର୍ବ ପ୍ରସ୍ତୁତି ଭଳି ମକର ପର୍ବରେ ମଧ୍ୟ ରହିଛି ପୂର୍ବ ପ୍ରସ୍ତୁତି। ଏହାକୁ ଭାଉଣ୍ତି କୁହାଯାଏ। ଏହି ଦିନ ବେଳକୁ ମକର ପାଳନର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥାଏ। ପାହାନ୍ତା ପ୍ରହରରୁ ପୁଅ ଝିଅମାନେ ଉଠି ମକର ବୁଡ଼ ପକାଇବା ପାଇଁ ପୋଖରୀ କିମ୍ବା ନଦୀ ତୁଠକୁ ଦଳବାନ୍ଧି ଯାଇଥାଆନ୍ତି। କୃଷକ ପରିବାର ଧାନ ଖଳାରେ ସେର’, ଗୌଣୀକୁ ସଜାଇ ରଖି ପୂଜା କରନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ବସିଥାଏ ମକର ମେଳା। ଜିଲ୍ଲାର ସମୀବୃକ୍ଷ, ଦେବକୁଣ୍ତ, ଦ୍ବାରଶୁଣୀ, ରାମତୀର୍ଥ ଓ ଭୀମକୁଣ୍ତ ଆଦି ସ୍ଥାନରେ ମେଳା ଦେଖିବାକୁ ବେଶ୍‌ ଜନଗହଳି ହୋଇଥାଏ। ମାଙ୍କଡ଼ ନାଚ, ଚାଙ୍ଗୁନାଚ, କାଠି ନାଚ ଭଳି ଲୋକନୃତ୍ୟ ସହିତ ଗଞ୍ଜା ଲଢେ଼ଇ ମଧ୍ୟ ମକର ପର୍ବର ଏକ ଆକର୍ଷଣ ପାଲଟିଥାଏ। ମକର ଅବସରରେ ପବିତ୍ର ଟୁସୁ ପର୍ବ ମଧ୍ୟ ପ୍ରମୁଖ ଆକର୍ଷଣ ପାଲଟିଥାଏ। ଏହି ସମୟରେ କୁଡ଼ୁମୀ ସମ୍ପ୍ରଦାୟରେ କୁମାରୀମାନେ ଟୁସୁ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭାଯାତ୍ରରେ ନେଇ ନଦୀ କିମ୍ବା ଜଳାଶୟରେ ବିସର୍ଜନ କରିଥାଆନ୍ତି। ବିଶ୍ବାସ ଅନୁସାରେ, ଟୁସୁ ନାମକ ଜଣେ କୁଡ଼ୁମୀ କନ୍ୟା ଉପରେ ଏକ ଯବନ ରାଜାଙ୍କ ଲୋଲୁପ ଦୃଷ୍ଟି ପଡ଼ିବାରୁ, ନିଜର ସତୀତ୍ବ ରକ୍ଷା ପାଇଁ ଟୁସୁ ନଦୀରେ ଝାସ ଦେଇ ପ୍ରାଣ ବିସର୍ଜନ କରିଥିଲେ ଉକ୍ତ କନ୍ୟା। ତାଙ୍କର ଅପୂର୍ବ ବଳୀଦାନକୁ ମନେରଖିବାକୁ ଯାଇ ଟୁସୁ ପୂଜାର ପରମ୍ପରା ଅଦ୍ୟାବଧି ପାଳିତ ହୋଇ ଆସୁଛି। ମକର ସ˚କ୍ରାନ୍ତି ଅବସରରେ ସାନ୍ତାଳ ସମ୍ପ୍ରଦାୟରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ବିଜୟୀ ପ୍ରତିଯୋଗୀଙ୍କୁ କାନ୍ଧରେ ବସାଇ ମାଝୀ ହାଳାମ୍‌ ଗୃହକୁ ନିଆଯାଇଥାଏ। ମକର ସ˚କ୍ରାନ୍ତ ପରଦିନ ସାନ୍ତାଳ ସମ୍ପ୍ରଦାୟରେ ଦି˚ବଗତ ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରିଥାଆନ୍ତି। ଏହା ଦାମୋଦର ଯାତ୍ରା ଭାବେ ଜଣାଶୁଣା। ବାରିପଦାର ବାରୁଣୀ ଘାଟ ଓ ଭୀମକୁଣ୍ତରେ ଏନେଇ ପ୍ରବଳ ଗହଳି ହୋଇଥାଏ। ବାସ୍ତବରେ ଦେଖିବାକୁ ଗଲେ ମକର ସ˚କ୍ରାନ୍ତିରେ ଉଲ୍ଲସିତ ହୋଇଉଠେ ଜିଲ୍ଲାର ପୁରପଲ୍ଲୀ। ବିଶେଷକରି ଏହି ଦିନଠାରୁ ଜନଜାତି ସମ୍ପ୍ରଦାୟଙ୍କର ନବବର୍ଷ ଆରମ୍ଭ ହୋଇଥାଏ ବୋଲି ଗବେଷକ ଡ. ରାଜ କିଶୋର ନାୟକ ପ୍ରକାଶ କରିଛନ୍ତି। ବସ୍ତୁତଃ, ସମଗ୍ର ଉତ୍ତର ଓଡ଼ିଶାର ଜନଜୀବନରେ ମକର ପର୍ବର ମହତ୍ତ୍ବ ଅତୁଳନୀୟ।

ସମ୍ବନ୍ଧିତ ଖବର