ଯୁବକଙ୍କୁ ହତ୍ୟା କରି ଜାଳିଦେଲେ

ରରୁଆଁ : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ବୈଦ୍ୟନାଥ ପଞ୍ଚାୟତର ପତରପଚା ଗ୍ରାମରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ପାଳ ଦ୍ୱାରା ନିଆଁରେ ପୋଡ଼ି ଦୁର୍ବୃତ୍ତମାନେ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି। ଆଜି ସକାଳେ ତାଙ୍କ ଅର୍ଦ୍ଧଦଗ୍ଧ ଶବ ଦେଖିବାକୁ ମିଳିଥିଲା। ମୃତ ଯୁବକ ହେଉଛନ୍ତି ଗୋକୁଳ ନାୟକଙ୍କ କନିଷ୍ଠ ପୁତ୍ର କିରାନୀ(୩୪)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସମଗ୍ର ରରୁଆଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, କିରାନୀ ଗତକାଲି ଅପରାହ୍ନ ୪ଟା ବେଳେ ନିକଟସ୍ଥ ଡେଣୁଆ ହାଟକୁ ପରିବା ବିକିବାକୁ ଯାଇଥିଲେ। ସଂଧ୍ୟା ପ୍ରାୟ ୭ଟା ବେଳେ ଘରକୁ ଫେରୁଥିବା ଲୋକେ ଦେଖିବାକୁ ପାଇଥିଲେ। ମାତ୍ର ସେ ଘରେ ପହଞ୍ଚି ପାରି ନଥିଲେ। ଘରଠାରୁ ମାତ୍ର ଦେଢ଼ କିମି ଦୂର ଜଣେ ଲୋକଙ୍କ ଖଳାରେ ତାଙ୍କ ଶବ ପଡ଼ିଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ପାଳ ଦ୍ୱାରା ତାଙ୍କୁ ପୋଡ଼ି ମାରି ଦେଇଥିବା ଜଣାପଡ଼ିଥିଲା। ଖବରପାଇ ରରୁଆଁ ଥାନା ଆଇଆଇସି ପ୍ରଦୀପ କୁମାର କେର୍‌କେଟା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟ ଧରି ପୁଲିସ ପାରିପାର୍ଶ୍ୱିକ ପରିସ୍ଥିତି ଅନୁଧ୍ୟାନ କରିଥିଲା।

ତେବେ ପତରପଚା ଗାଁମୁଣ୍ଡରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରିବା ଦୁର୍ବୃତ୍ତମାନେ ଅଖାରେ ଭର୍ତ୍ତି କରି ବୈତରଣୀ ନଦୀ କୂଳକୁ ଆଣିଥିଲେ। ସେଠାରେ ପାଳ ପକାଇ ଦୁର୍ବୃତ୍ତମାନେ ତାଙ୍କୁ ପୋଡ଼ିଦେଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣି ପାରିଛି। ସେହିପରି ଅପରାହ୍ନ ସାଢ଼େ ୩ଟା ବେଳେ କରଂଜିଆ ଏସ୍‌ଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂଧ୍ୟାବେଳେ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ହତ୍ୟା ଅଭିଯୁକ୍ତକୁ ଠାବ କରି ପାରି ନଥିଲା। ଏନେଇ ରରୁଆଁ ଥାନାରେ ୬୯/୧୭ନଂ.ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର