ମୟୁରଭଞ୍ଜ: ମାଟି ଅତଡ଼ା ଖସି ଜଣେ ମହିଳା ମୃତ, ଜଣେ ଗୁରୁତର

ବାରିପଦା/ବାଲେଶ୍ୱର: ମାଟି ଅତଡ଼ା ଖସିବାରୁ ବୁଧବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଜଳଡିହା ଗ୍ରାମର କାନ୍ଦ୍ରା କିସ୍ତୁଙ୍କର ପତ୍ନୀ ସୁମିତ୍ରା ବେସ୍ରା(୩୨) ଅନ୍ୟ ମହିଳାଙ୍କ ସହିତ ମାଟି ଆଣିବାକୁ ଯାଇଥିଲେ। ମହିଳାମାନେ ଘର ଲିପିବାକୁ ଧଳାମାଟି ଆଣିବାକୁ ଜଙ୍ଗଲ ଭିତରେ ଥିବା ଖଦାନକୁ ଯାଇଥିଲେ।

ଖଦାନରେ ଆକସ୍ମିକ ଭାବରେ ମାଟି ଅତଡ଼ା ଖସିବାରୁ ସୁମିତ୍ରା ଓ ଶାକରା ମୁର୍ମୁ(୪୫) ଗୁରୁତର ଆହତ ହୋଇଥିଲେ। ଅନ୍ୟ ମହିଳାଙ୍କ ଦ୍ୱାରା ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁମିତ୍ରାଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଶାକୁରା।

ସମ୍ବନ୍ଧିତ ଖବର