ଅନଲାଇନ ଠକେଇ : କଲିକତାରୁ ଘରକୁ ଫେରାଇ ଆଣିବାକୁ କହି ଲୁଟିଲେ ଟଙ୍କା, ଠକାମିର ଶିକାର ହେଲେ ଯୁବତୀ
ବାରିପଦା: କରୋନାରେ ସହଯୋଗର ଆଳ ଦେଖାଇ ମାତିଛନ୍ତି ଅନଲାଇନ ଲୁଟେରା । ଏପରି ଠକାମୀର ଶିକାର ହୋଇଛନ୍ତି କଲିକତାରେ ରହୁଥିବା ବାରିପଦା ଅଞ୍ଚଳର ଜଣେ ଶିକ୍ଷିତା ଯୁବତୀ । ଅନଲାଇନ ଠକଙ୍କ କଥାରେ ଭଳି ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ଦେଇ ୯ହଜାର ୫ଶହ ଟଙ୍କା ହରାଇଛନ୍ତି ଯୁବତୀ । ଘଟଣା ଅନୁସାରେ ବାରିପଦା ପୌରପରିଷଦର ନୂଆସାହି ବାସିନ୍ଦା ଲୋପାମୂଦ୍ରା ପ୍ରିୟଦର୍ଶିନୀ ଲକଡାଉନ କାରଣରୁ ଘରକୁ ଫେରି ନପାରି ନିଜ ମାମୁ ଘର କୋଲକତାରେ ଅଟକି ରହିଛନ୍ତି। ଘରକୁ ଫେରିବାକୁ ସେ ଗତ ଏପ୍ରିଲ ୨୫ରେ ନାମ ପଞ୍ଜିକରଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଜଣେ ଅଜଣା ବ୍ୟକ୍ତି ଲୋପାମୂଦ୍ରାଙ୍କୁ କଲ୍ କରିଥିଲେ। କୋଲକତାରୁ ଫେରି ଆସିବା ନିମନ୍ତେ ସରକାରଙ୍କ ଗାଡ଼ି ଭଡ଼ା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ଆବଶ୍ୟକ ଅର୍ଥ ପଇଠ କରିବାକୁ ପଡ଼ିବ ବୋଲି କହିଥିଲେ। ଏହି କଥାରେ ବିଶ୍ବାସ କରି ଲୋପାମୂଦ୍ରା ଉକ୍ତ ଅଜଣା ବ୍ୟକ୍ତିଙ୍କୁ ଏଟିଏମ୍ ନମ୍ବର ପ୍ରଦାନ କରିଥିଲେ। ଏହାର ଫାଇଦା ନେଇ ଉକ୍ତ ଠକ ଜଣଙ୍କ ତାଙ୍କ ଆକାଉଣ୍ଟରୁ ପ୍ରାୟ ୯ ହଜାର ୫ଶହ ଟଙ୍କା ହଡ଼ପ କରି ନେଇଛନ୍ତି । ପରବର୍ତ୍ତୀ ସମୟରେ ଲୋପାମୂଦ୍ରା ଏସମ୍ପର୍କରେ ଜାଣିପାରି ଘରେ ସୂଚନା ଦେଇଥିଲେ। ଏନେଇ ତାଙ୍କ ପିତା ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
ଘଟଣାଟି କୋଲକତାରେ ଘଟିଥିବାରୁ ସେଠିକାର ପୁଲିସ୍ ଏ ସମ୍ପର୍କରେ ବିଶେଷ ତଦନ୍ତ କରିବବୋଲି ଜଣାପଡ଼ିଛି। ତେବେ ଯୁବତୀ ଜଣଙ୍କ କୋଲକତାରୁ ଫେରିବେ ଏବଂ ସେଥିନିମନ୍ତେ ପଞ୍ଜିକରଣ କରିଥିବା ବିଷୟ କିପରି ଅନ୍ୟମାନେ ଜାଣିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାରେ ଏକ ରାକେଟ୍ କାମ କରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।