ପଞ୍ଚପଲ୍ଲୀ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା:ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ,ଅଭିଭାବକ ବିଚଳିତ

କଳମାରୁ ପାଚିକା ଅାଣି ହଷ୍ଟେଲ ଚଳାଇବାକୁ ପ୍ରଚେଷ୍ଟା ବିଫଳ:ପ୍ରଶାସନର ଚେତା ପଶିଲା : ହଷ୍ଟେଲ ଫାଟକ ସମ୍ମୁଖରେ ଇନ୍‌ଅାଉଟ୍‌ ଖାତା ଖୋଲିଲା

ବେତନଟୀ/ବୈଶିଙ୍ଗା: ବେତନଟୀ ବ୍ଲକର କେନ୍ଦୁଅା ପଞ୍ଚାୟତର ହାତୀପତୁକା ପଞ୍ଚପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ସହିତ ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀଙ୍କ ମାଅାଙ୍କ ଅଭିଯୋଗକ୍ରମେ ବୈଶିଙ୍ଗା ଥାନାରେ ମାମଲା ରୁଜୁ ହୋଇ ସ୍କୁଲର ପ୍ରଧାନଶିକ୍ଷକ ତଥା ହଷ୍ଟେଲ ପରିଚାଳନା କରୁଥିବା ଗୋବର୍ଦ୍ଧନ ମହାପାତ୍ର ଓ ସ୍କୁଲ ପିଅନ ରଘୁନାଥ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ଏବେ ଏହି ହଷ୍ଟେଲରେ ରହୁଥିବା ୧୧୦ ଜଣ ଛାତ୍ରୀଙ୍କ ଅଭିଭାବକ ବିଚଳିତ ହୋଇ ପଡିଛନ୍ତି। ଖବର ପ୍ରକାଶ ପରେ ନିଜ ପିଲାଙ୍କୁ ଦେଖିବାକୁ ଅଭିଭାବକ ଓ ସମ୍ପର୍କୀୟ ମାନଙ୍କର ସୁଅ ଛୁଟିଛି।

ଘଟଣା  ପରଦିନ ଏହି ହଷ୍ଟେଲରେ ୯୩ ଜଣ ଛାତ୍ରୀ ଥିଲେ ା ହେଲେ ଅଭିଭାବକମାନେ ଅାସିବା ପରେ ସେମାନେ ଦିନେ ଦୁଇ ଦିନ ପାଇଁ କହି ନିଜର ସନ୍ତାନଙ୍କୁ ନେଇ ଯାଉଛନ୍ତି। ଅାଜି ସୁଦ୍ଧା ଏହି ହଷ୍ଟେଲରେ ମାତ୍ର ୧୨ ଜଣ ଛାତ୍ରୀ ରହି ଥିବାବେଳେ ଅନ୍ୟୁନ ୯୮ ଜଣ ଛାତ୍ରୀ ହଷ୍ଟେଲ ଛାଡି ସାରିଲେଣି। ପ୍ରଧାନଶିକ୍ଷକ ଜେଲରେ ଥିବାବେଳେ ଏହି ହଷ୍ଟେଲରେ ପାଚିକା ଭାବେ କାର୍ଯ୍ୟ କରୁଥିବା ଦୁଇ ଜଣ ମହିଳା ଶାନ୍ତି ବେସ୍ରା ଓ ମାଳତୀ ହେମ୍ବ୍ରମଙ୍କ ନାମ ମାମଲାରେ ଜଡିତ ଥିବାରୁ ସେମାନେ ମଧ୍ୟ ଫେରାର ଅଛନ୍ତି। ତେଣୁ ଛାତ୍ରୀଙ୍କ କଥା ବୁଝିବାକୁ କେହିନାହିଁ।  ବିଧିବଦ୍ଧ ଭାବରେ କାହାରିକୁ ଦାୟିତ୍ୱ ଦିଅା ଯାଇନାହିଁ। ଜିଲ୍ଲା ମଙ୍ଗଳ ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ ଏପର୍ଯ୍ୟନ୍ତ ଏହି ହଷ୍ଟେଲକୁ ଅାସି ଛାତ୍ରୀମାନଙ୍କୁ ପଚାରି ବୁଝାସୁଝା କରି ନାହଁାନ୍ତି।  କଳମା ଭଞ୍ଜଭୂମି ବାଳିକା ବିଦ୍ୟାଳୟରୁ ଦୁଇ ଜଣ ମହିଳାଙ୍କୁ ଅଣାଯାଇ ରୋଷେଇ ଦାୟିତ୍ୱ ଦିଅା ଯାଇଥିଲେ ମଧ୍ୟ ସେମାନେ ମଧ୍ୟ ଭୟଭୀତ ଅଛନ୍ତି। ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗୁରୁପ୍ରସନ୍ନ ସାହୁ ହଷ୍ଟେଲରେ ପହଞ୍ଚି ତଦାରଖ କରୁଛନ୍ତି। ହେଲେ ପରିସ୍ଥିତି ସ୍ବାଭାବିକ ହୋଇ ପାରୁନାହିଁ ା ଅନ୍ୟ ପକ୍ଷରେ ଏବେ ହଷ୍ଟେଲ ସମ୍ମୁଖରେ ଯିବା ଅାସିବା କରୁଥିବା ଲୋକଙ୍କ ରେକର୍ଡ ପାଇଁ ଖାତା ଖୋଲାଯାଇଛି। ଏହି କାର୍ଯ୍ୟ ଅାଗରୁ କରିବାର ଥିଲା, ଦୁର୍ଘଟଣା ଘଟିବା ପରେ ପ୍ରଶାସନକୁ ଲୋକେ ନାନା ସମାଲୋଚନା କରୁଛନ୍ତି ା

ସମ୍ବନ୍ଧିତ ଖବର