କାନମୁଣ୍ଡାରେ ବାଉଁଶ ଅଗ ଭୁସି ହୋଇଯିବାରୁ ବାଇକ୍‌ ଆରୋହୀ ମୃତ

ବାଙ୍ଗିରିପୋଷି: ରବିବାର ଦିନ ପ୍ରାୟ ୧୨; ୧୫ ସମୟରେ କଳାବାଡ଼ିଆ-ବାଙ୍ଗିରିପୋଷି ଏମ୍‌ଡିଆର୍‌ ୪୫ର ସାତଭାୟା ଛକ ଠାରେ ବାଉଁଶ ଅଗ ଭୁସି ହୋଇଯିବାରୁ ମୋଟର୍‌ସାଇକେଲ୍‌ର ପଛ ସିଟ୍‌ରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ଏବଂ ମୋଟର ସାଇକେଲ୍‌ ଚାଳକ ସାମାନ୍ୟ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ଇଟାମୁଣ୍ଡି ଗ୍ରାମର ସୁନା ସିଂ। ଆହତ ବାଇକ୍‌ ଚାଳକ ହେଲେ ସୁନ୍ଦର ମୋହନ ସିଂହ। ଉଭୟଙ୍କ ଘର ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମପଞ୍ଚାୟତ ଅଞ୍ଚଳରେ ଇଟାମୁଣ୍ଡି ଗ୍ରାମର ବାସିନ୍ଦା। ଦୁହେଁ ଗୋଟାଏ ଶୁଦ୍ଧିଘର ଭୋଜିରେ ଯୋଗ ଦେବା ପାଇଁ ବାଙ୍ଗିରିପୋଷିର ମଣଦା ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ସାତଭାୟା ଛକ ନିକଟରେ ଜଣେ ବ୍ୟକ୍ତି ଖଣ୍ଡେ ବାଉଁଶ ନେଇ ରାସ୍ତା ପାର ହେଉଥିଲେ। କୌଣସି କାରଣରୁ ବାଉଁଶ ଖଣ୍ଡକର ଶେଷ ଭାଗର ଅଗିଲା ଅଂଶଟି ସୁନା ସିଂଙ୍କ କାନମୁଣ୍ଡାରେ ଖୁଞ୍ଚି ହୋଇ ପଶିଗଲା।

ଗୁରୁତର ଅବସ୍ଥାରେ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ଚାଳକ ସୁନ୍ଦର ମୋହନ ବାଇକ୍‌ରୁ ପଡ଼ିଯାଇ ସାମାନ୍ୟ ଆହତ ହୋଇଛନ୍ତି।

ବାଙ୍ଗିରିପୋଷି ପୁଲିସ ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ନିମନ୍ତେ ସୁନା ସିଂଙ୍କ ଶବକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜକୁ ନିଆଯାଇଛି।

ସମ୍ବନ୍ଧିତ ଖବର