ତିରିଂ ଥାନା ଅଧିକାରୀ ଗିରଫ

ଦୁର୍ଘଟଣା ଘଟାଇ ଖସି ଯାଉଥିଲେ

କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିକାରୀ ଚନ୍ଦ୍ରମୋହନ ସିଂଙ୍କୁ ଆଜି ଗିରଫ କରାଯାଇଛି। ଗତକାଲି ରାତିରେ ସେ ଦୁର୍ଘଟଣା ଘଟାଇ ବାଙ୍ଗିରିପୋଷି ପୁଲିସ ହାତରେ ଧରାପଡ଼ିଥିଲେ। ଗତକାଲି ବିଳମ୍ବିତ ରାତିରେ ଶ୍ରୀ ସିଂ ବାଙ୍ଗିରିପୋଷି-କଳାବାଡ଼ିଆ ରାସ୍ତାରେ ମାରୁତି କାର୍‌ ଓଡି-୧୧-ଏଚ-୭୧୭୯ରେ ଯାଉଥିଲେ। ଗୋଲାମୁଣ୍ଢା ପଞ୍ଚାୟତ ବେଗୁନାଡିହା ଗଜେନ୍ଦ୍ରଢିପା ନିକଟରେ ଓଆର-୧୧-ଏଲ୍‌-୩୫୨୭ ବାଇକରେ ଯାଉଥିବା ଜଣେ ଯୁବକଙ୍କୁ ସେ ସାମନାରୁ ଧକ୍କା ଦେଇଥିଲେ। ଫଳରେ ବାଇକ ଆରୋହୀ ରଙ୍ଗିଆମ୍‌ର ବାସିନ୍ଦା ମସୁଣକାନ୍ତ ନାଏକ (୩୦) ଗୁରୁତର ଆହତ ହୋଇଥିଲେ। ଧକ୍କାଲାଗି ଉଭୟ ବାଇକ୍‌ ଓ କାର୍‌ କ୍ଷତିଗ୍ରସ୍ତ ହୋଇଥିଲା। ମସୁଣକାନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦାରୁ କଟକ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ନିଶାସକ୍ତ ଅବସ୍ଥାରେଥିବା ଥାନା ଅଧିକାରୀ ଶ୍ରୀ ସିଂ ଖସିଯିବାକୁ ଉଦ୍ୟମ କରିଥିଲେ। ନିଜକୁ ପୁଲିସ ଅଫିସର କହି ଧମକ ଚମକ ଦେଇଥିଲେ। ହେଲେ ସ୍ଥାନୀୟ ଲୋକେ କିଛି ନଶୁଣି ତାଙ୍କୁ ଧରି ବାଙ୍ଗିରିପୋଷି ପୁଲିସ ଜିମା ଦେଇଥିଲେ। ଏଥିସହ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ତୁରନ୍ତ ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂଙ୍କୁ ଖବର ଦେଇଥିଲେ। ଫଳରେ ତାଙ୍କର ଖସିଯିବାର ସବୁ ବାଟ ବନ୍ଦ୍‌ ହୋଇଯାଇଥିଲା। ଏସ୍‌ପିଙ୍କ ନିର୍ଦେଶକ୍ରମେ ବାଙ୍ଗିରିପୋଷି ଥାନା ଅଧିକାରୀ ଗୋବିନ୍ଦଚନ୍ଦ୍ର ବେହେରା ଚନ୍ଦ୍ରମୋହନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିଲେ।

ପୁଲିସ ଏ ସଂକ୍ରାନ୍ତରେ ୧୦୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଶ୍ରୀ ସିଂ ପୂର୍ବରୁ ତିରିଂ ଥାନା ଅଞ୍ଚଳରେ ଗାଡ଼ି ଧକ୍କା ଦେଇ ଅନ୍ତର୍ଯ୍ୟାମୀ ମହାନ୍ତ ଓ ଶୁଭେନ୍ଦୁ କୁମାର ଦାସଙ୍କୁ ଆହତ କରିଥିବା ଖବର ମିଳିଛି। ଏନେଇ ମଧ୍ୟ ୬୩/୧୭ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ତେବେ ସର୍ବଶେଷ ଖବର ମୁତାବକ ୬୦ ହଜାର ଟଙ୍କାର ବଣ୍ଡ୍‌ ଓ ଜଣେ ସ୍ଥାନୀୟ ଜାମିନଦାରଙ୍କ ଜିମାରେ ଜାମିନ୍‌ରେ ମୁକୁଳିଛନ୍ତି।

ସମ୍ବନ୍ଧିତ ଖବର