ଲାଞ୍ଚ ନେଇ ଥାନା ଅଧିକାରୀ ଓ ଏଏସ୍‌ଆଇ ଗିରଫ

କପ୍ତିପଦା/ନୂଆସାହି : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନାର ଦୁଇ ପୁଲିସ ଅଧିକାରୀ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ବେଲ୍‌ ବଣ୍ଡ୍‌ ଓ ଜବତ ଗାଡ଼ିକୁ ଛାଡ଼ିଦେବା ପାଇଁ ଥାନା ଆଇଆଇସି ବ୍ରଜବନ୍ଧୁ ନାୟକ ଓ ଏଏସ୍‌ଆଇ ରବିନାରାୟଣ ସୁଆର ଏହି ଟଙ୍କା ନେଉଥିଲେ।

କପ୍ତିପଦା ଥାନାରେ ସ୍ଥାନୀୟ ଅଞ୍ଚଳର ତପନ କୁମାର ବାରିକଙ୍କ ସମେତ ୧୬ଜଣଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେମାନଙ୍କର ବାଇକ୍‌ଗୁଡିକୁ ମଧ୍ୟ ପୁଲିସ ଜବତ କରିଥିଲା। ଗୋଟିଏ ମାମଲାରେ ବାରିପଦା ଜିଲ୍ଲା ଦୌରାଜଜ୍‌ ଅଦାଲତରେ ତପନ ବାରିକ ଜାମିନ ପାଇଥିଲେ। ହାଇକୋର୍ଟରୁ ସେମାନେ ଅନ୍ୟଏକ ମାମଲାରେ ଜାମିନ ପାଇଥିଲେ ହେଁ ତଦନ୍ତ ଅଧିକାରୀଙ୍କ ନିକଟରୁ ବେଲ୍‌ବଣ୍ଡରେ ଯିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ତଦନୁସାରେ ସେମାନେ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଏଥିପାଇଁ ଆଇଆଇସି ନାୟକ ୪୦ ହଜାର ଟଙ୍କା ଦାବି କରିଥିଲେ। ଶେଷରେ ୨୦ହଜାର ଟଙ୍କାରେ କଥା ଛିଡ଼ିଥିଲା। ଏ ସଂପର୍କରେ ତପନ ବାଲେଶ୍ୱର ଭିଜିଲାନ୍‌ସକୁ ଜଣାଇଥିଲେ।

ଯୋଜନା ଅନୁସାରେ ତପନ ଆଜି ୨୦ ହଜାର ଟଙ୍କା ଧରି ଥାନା ପରିସରରେ ଥିବା ଆଇଆଇସିଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ଟଙ୍କା ନେବା ପାଇଁ ଏଏସ୍‌ଆଇ ସୁଆରଙ୍କୁ ପଠାଇଦେଇଥିଲେ ଆଇଆଇସି। ଏଏସ୍‌ଆଇ ଟଙ୍କା ନେଇ ଆଇଆଇସିଙ୍କୁ ଦେଇଥିଲେ। ଏହି ସମୟରେ ଛକିବସିଥିବା ଭିିଜିଲାନ୍‌ସ ଟିମ୍‌ ଚଢ଼ଉ କରି ଦୁଇଜଣଙ୍କୁ କାବୁ କରିଥିଲା। ଆଇଆଇସିଙ୍କ ସରକାରୀ ବାସଭବନରୁ ରଙ୍ଗବୋଳା ୧୧,୫୦୦ ଟଙ୍କା ଜବତ ହୋଇଥିଲା। ଏହା ଦେଖି ଏଏସ୍‌ଆଇ ସୁଆର ସିଗାରେଟ୍‌ ଖୋଳରେ ଅବଶିଷ୍ଟ ୮,୫୦୦ ଟଙ୍କା ରଖି ପରିତ୍ୟକ୍ତ ସ୍ଥାନକୁ ପିଙ୍ଗି ଦେଇଥିଲେ। ଉକ୍ତ ଟଙ୍କାକୁ ମଧ୍ୟ ଭିଜିଲାନ୍‌ସ ଟିମ୍‌ ଜବତ କରିଛି।

ଏ ସଂକ୍ରାନ୍ତରେ ୬୬/୧୭ରେ ମାମଲା ରୁଜୁ କରି ଉଭୟଙ୍କୁ ଭିଜିଲାନ୍‌ସ ଟିମ୍‌ ଗିରଫ କରିଛି। ଏହି ଚଢ଼ଉରେ ବାରିପଦା ଭିଜିଲାନସ୍‌ ଡିଏସ୍‌ପି ସଂଜୟ କୁମାର ଦାଶ ମହାପାତ୍ର, ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟ, ଇନ୍‌ସପେକ୍ଟର ଅନିରୁଦ୍ଧ ନାୟକ, ମାନସୀ ଜେନା ଓ ଉମାଶଙ୍କର ନାୟକ ସାମିଲ ଥିଲେ।

ସମ୍ବନ୍ଧିତ ଖବର