ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

ମାମଲାର ସମାଧାନ ପାଇଁ ୫ ହଜାର ଟଙ୍କା ନେଉଥିଲେ

ଚିତ୍ରଡା/ବେତନଟୀ : ପୁଣି ଖାକିରେ ଲାଗିଲା ଦାଗ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ବେତନଟୀ ଥାନା ଅଧୀନ ବଡ଼ଜାମବଣି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ବାରିକ। ତାଙ୍କ ନିକଟରୁ ରଙ୍ଗଲଗା ଟଙ୍କା ଜବତ ହୋଇଥିବାବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।

ଖବରରୁ ପ୍ରକାଶ ଯେ, ମୋରଡା ବ୍ଲକ ଭାଲିଆଡିହା ପଞ୍ଚାୟତ ଅନ୍ତର୍ଗତ ଡକୋଇ-ଅମରନାମା ଗ୍ରାମର କନ୍ଦ୍ରା ମୁର୍ମୁ ପଞ୍ଚାୟତରୁ ଛାଡ଼କଟା ବନ୍ଧ ନିଲାମ ଧରିଛନ୍ତି। ତେବେ କିଛି ଅସାମାଜିକ ଲୋକ ଉକ୍ତ ବନ୍ଧରେ କନ୍ଦ୍ରାଙ୍କୁ ମାଛ ଚାଷ କରାଇ ନ ଦେବା ପାଇଁ କନ୍ଦ୍ରାଙ୍କ ସହିତ ମାରପିଟ କରିଥିଲେ। ଏ ସମ୍ପର୍କରେ କନ୍ଦ୍ରା ବଡ଼ଜାମବଣି ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗର ଆପୋଷ ସମାଧାନ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଭିଯୋଗ କରିଥିବା କନ୍ଦ୍ରାଙ୍କୁ ପୁଲିସ ଓଲଟି ନୋଟିସ କରିଥିଲା। କାନ୍ଦ୍ରା ଜାମବଣି ଫାଣ୍ଡି ଅଧିକାରୀଙ୍କ ପାଖକୁ ଯାଇ ଏ ସମ୍ପର୍କରେ ପଚାରିବାରୁ ଫାଣ୍ଡି ଅଧିକାରୀ ମାମଲାର ସମାଧାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏ ସମ୍ପର୍କରେ କାନ୍ଦ୍ରା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ।ଏହା ଜାଣିବା ପରେ ଭିଜିଲାନ୍ସ ବିଭାଗ ଲାଞ୍ଚୁଆ ଫାଣ୍ଡି ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଯୋଜନା ମୁତାବକ ଆଜି ଦିନ ପ୍ରାୟ ୧୧ଟା ୧୫ ମିନିଟ ସମୟରେ ଏଏସ୍‌ଆଇ ଶ୍ରୀ ବାରିକ କାନ୍ଦ୍ରାଙ୍କଠାରୁ ୧୦ଟି ୫ଶହ ଟଙ୍କା ମୋଟ ୫ହଜାର ଟଙ୍କା ଲାଞ୍ଚ ନେଇ ଟେବୁଲ ତଳେ ରଖିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାଲେଶ୍ବର ଏବଂ ବାରିପଦାର ୨ଟି ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲେ। ଲାଞ୍ଚ ଟଙ୍କା ଜବତ ସହିତ ବଡ଼ଜାମବଣି ଫାଣ୍ଡି ଅଧିକାରୀ ଏଏସ୍‌ଆଇ ସନ୍ତୋଷ କୁମାର ବାରିକଙ୍କୁ ଗିରଫ କରି ବାରିପଦା ନେଇ ଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର