କ୍ଷୀର ଭ୍ୟାନ ସହ ବାଇକ ଧକ୍କା : ଦୁଇ ମୃତ, ଜଣେ ଗୁରୁତର 

ରାଇରଙ୍ଗପୁର: ଯଶିପୁର -ରାଇରଙ୍ଗପୁର ୨୨୦ ନଂ. ଜାତୀୟ ରାଜପଥର କାଦୁଆଣି ଛକ ନିକଟରେ ଏକ କ୍ଷୀର ଭ୍ୟାନକୁ ବାଇକ ଧକ୍କା ଦେଇଥିଲା। ଏହି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଏକ କ୍ଷୀର ଭ୍ୟାନ (ଓଡି୧୩ଏଲ୨୭୨୮)ଟି କରଞ୍ଜିଆ ପଟୁ ରାଇରଙ୍ଗପୁର ଅଭିମୁଖେ ଆସୁଥିଲା । କାଦୁଆଣି ଛକ ନିକଟରେ ଥିବା ଏକ ହମ୍ପସରେ ଭ୍ୟାନଟି ବେଗ କମାଇ ଦେବାରୁ ପଛରୁ ଆସୁଥିବା ବାଇକ (ଓଡି୦୧ଏ୧୬୧୩) ଧକ୍କା ଦେଇ ଥିଲା । ଫଳରେ ବାଇକରେ ଥିବା ତିନି ଜଣ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ।

ଏହି ଦୁର୍ଘଟଣାରେ କରଞ୍ଜିଆ ଥାନା ନେଢ଼ୁଆପାଳ ଦୁଃମ୍ବିସାହିର ରମେଶ ମହାକୁଡ଼ଙ୍କ ପୁଅ ମୁକେଶ (୨୫)ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ଆଣା ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ସେଠାରେ ଘୋଷଣା କରିଥିଲେ।

ସେହିପରି ଝାଡ଼ଖଣ୍ଡ ରାଜ୍ୟ ମଂଝରୀ ଥାନା ଚିଟିମିଟି ଗ୍ରାମର ଦୁରାଇ ବାନରାଙ୍କ ପୁଅ ଜନକ ବାନରା (୩୦)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ମେଡିକାଲ କଲେଜରେ ପହଞ୍ଚିବା ପୂର୍ବରୁ ବିଜାତଳା ନିକଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ୨୫/୨୦ରେ ଏକ ମାମଲା ରୁଜୁ କରାଯାଇ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି  ଅନ୍ୟ ଜଣେ ଗୁରୁତର ଯୁବକ ରରୁଆଁ ଥାନା ବାରିଆ ଗ୍ରାମର ବିଜୁ ବାଙ୍କିରା (୩୦)ଙ୍କୁ ଚିକିତ୍ସା ପାଇଁ ବାରିପଦା ପଠାଯାଇଛି।

ସମ୍ବନ୍ଧିତ ଖବର