ପୂର୍ବତନ ସେନା କର୍ମଚାରୀଙ୍କଠୁ ଲୁଟିଲେ ସାଢ଼େ ୫ ଲକ୍ଷ

ବେତନଟୀରେ ମାତିଲେ ଭଞ୍ଜନଗର ଡକାୟତ

ବଇଦପୁର ଜଙ୍ଗଲରେ ବାଇକ୍‌ ଛାଡ଼ିି ପଳାଇଲେ

ବେତନଟୀ : ଆଜି ଅପରାହ୍ନରେ ବେତନଟୀର ଏମ୍‌ପିସି ହାଇସ୍କୁଲ ନିକଟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛିନ୍‌ତାଇ ହୋଇଛି। ଏହାର ଶିକାର ହୋଇଛନ୍ତି ମେରଦା ଦୁର୍ଗାପୁରର ପୂର୍ବତନ ସେନା କର୍ମଚାରୀ ଲକ୍ଷ୍ମୀଧର ମୁର୍ମୁ। ଲକ୍ଷ୍ମୀଧର ଓ ତାଙ୍କ ଶ୍ୱଶୁର ସାଗର ମୁର୍ମୁ ଜମି କିଣିବାକୁ ଟଙ୍କାଧରି ଆସିଥିଲେ। ତାଙ୍କୁ ବାଇକରେ ପିଛା କରୁଥିବା ଦୁଇ ଲୁଟେରା ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ପଳାଇଥିଲେ। ଖବରପାଇ ପୁଲିସ ଓ ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଧରିବା ପାଇଁ ବହୁ ଉଦ୍ୟମ କରି ମଧ୍ୟ ସଫଳ ହୋଇ ନାହାନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ମିଳିନି କି ଲୁଟ୍‌ ଅର୍ଥ ଜବତ ହୋଇନି। ଏଣେ ଲୁଟେରା ଦୁହେଁ ବାଇକ୍‌ ଛାଡ଼ିଦେଇ ଜଙ୍ଗଲ ରାସ୍ତାରେ ଫେରାର ହୋଇ ଯାଇଛନ୍ତି। ପୁଲିସ ଲୁଟେରାଙ୍କ ଓଡି-୩୨ସି-୧୩୯୪ ଟିଭିଏସ ଆପାଚି ବାଇକକୁ ଜବତ କରିଛି।

ଲକ୍ଷ୍ମୀଧର ବାରିପଦା ମହାରାଜପୁରରେ ୫ ଡେସିମିଲ ଜମି କିଣିବା ପାଇଁ ଘରୁ ଦେଢ଼ ଲକ୍ଷ ଟଙ୍କା ନେଇ ଆସିଥିଲେ। ବାଟରେ ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ୯୦ ହଜାର ଟଙ୍କା ଉଠାଇବା ପରେ ବାରିପଦା ଯିବାକୁ ବଙ୍ଗଳାଛକ ଅଭିମୁଖେ ବସ ଧରିବାକୁ ଯାଉଥିଲେ। ବାଟରେ ଚଳନ୍ତା ବାଇକରୁ ଜଣେ ଲୁଟେରା ଟଙ୍କା ବ୍ୟାଗ୍‌ ଭିଡ଼ିନେଇ ପଳାଇଥିଲା। ବଇଦପୁର ସାପ୍ତାହିକ ହାଟ ନିକଟରେ ଯୁବକଦ୍ୱୟଙ୍କୁ ଦୃତଗତିରେ ଯାଉଥିବା ଦେଖି କିଛି ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଲୁଟେରା ଦୁହେଁ ବାଇକ୍‌କୁ ଛାଡ଼ିଦେଇ ଜଙ୍ଗଲ ଭିତରେ ପଶି ଫେରାର ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା। ଜବତ ବାଇକଟି ଏସ୍‌ ସରୋଜିନୀଙ୍କ ନାମରେ ଭଞ୍ଜନଗର ଆରଟିଓଙ୍କ ଦପ୍ତରରେ ଗତ ୨୧ ସେପ୍ଟମ୍ବର ୨୦୧୭ରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିିଛି। ବାଇକ୍‌ ମାଲିକଙ୍କ ଘର ଆସ୍କା ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଭଂଜନଗର ଲୁଟେରାଙ୍କ ଚେର ଯେ ବେତନଟୀ ପର୍ଯ୍ୟନ୍ତ ଲମ୍ବିଛି, ତାହା ସନ୍ଦେହ ପରିସରକୁ ଆସିଛି।

ସମ୍ବନ୍ଧିତ ଖବର