ବିଜେଡି ନେତାଙ୍କ ବିରୋଧରେ ଛାତ୍ରନେତାଙ୍କ ଚେତାବନୀ

 ଅରୁଣ ଓ ସାନନ୍ଦଙ୍କୁ ଜିଲ୍ଲାରେ ବିରୋଧ କରାଯିବ : ତୁଷାର

ବାରିପଦା: ପୁଣି ତାଜା ହୋଇଛି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ(ଏନଓୟୁ)ର ପୂର୍ବତନ ଛାତ୍ରସ˚ସଦ ସଭାପତିଙ୍କ ଉଠ୍‌ବସ ଘଟଣା। ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ତାଙ୍କୁ ଉଠ୍‌ବସ କରିଥିବା ଘଟଣାରେ ଦଳ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସ୍ଥାନୀୟ ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି (ନଛି)ଙ୍କ ବିରୋଧରେ ବର୍ଷିଛନ୍ତି ତୁଷାର କୁମାର ନାୟକ। ତାଙ୍କୁ ନ୍ୟାୟ ନ ମିଳିଲେ ଅରୁଣ ଓ ସାନନ୍ଦଙ୍କୁ ଜିଲ୍ଲାରେ ବିରୋଧ କରାଯିବ ତୁଷାର ଚେତାବନୀ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତୁଷାର କହିଛନ୍ତି ଯେ ପର୍ଯ୍ୟବେକ୍ଷକ ଅରୁଣ ସାହୁ ତାଙ୍କୁ ଉଠ୍‌ବସ କରାଇବା ଘଟଣାରେ ତାଙ୍କ ସ୍ବାଭିମାନକୁ ଆଘାତ ଲାଗିଥିଲା। ଅରୁଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ବିଧାୟକ ସାନନ୍ଦ ମାର୍ଣ୍ତି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେହିପରି ତାଙ୍କୁ ଉଠ୍‌ବସ କରିବାକୁ ନଛି ମହାନ୍ତି ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ତୁଷାର। ଯଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ବିଜେଡ଼ି ସୁପ୍ରିମୋଙ୍କୁ ଅଭିଯୋଗ କରାଯିବ। ଏହାସହିତ ବାରିପଦାରେ ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସ୍ଥାନୀୟ ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ତି ଏବ˚ ଜିଲ୍ଲା ବିଜେଡ଼ି ଉପସଭାପତି ନଛି ମହାନ୍ତିଙ୍କୁ ମୟୂରଭଞ୍ଜ ଛାତ୍ର ସମାଜ ବିରୋଧ କରିବେ ବୋଲି ତୁଷାର ପ୍ରକାଶ କରିଛନ୍ତି। ଏହାଛଡ଼ା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ନିୟମିତ ହୋଇ ପାରୁନଥିବା ବିଭାଗଗୁଡ଼ିକୁ ନିୟମିତ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏପରିକି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ମଧ୍ୟ ହୋଇଥିଲା। ମାତ୍ର ଅଦ୍ୟାବଧି ଏହା ହୋଇନାହିଁ। ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଏହା ଅଟକିଥିବା କଥା କହି ସ୍ଥାନୀୟ ବିଧାୟକ କଥାକୁ ଟାଳି ଦେଉଛନ୍ତି ବୋଲି ତୁଷାର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର