ବାଘଛାଲ, ବଜ୍ରକାପ୍ତା କାତି ଜବତ; ୨ ଗିରଫ

ଉଦଳା: ଶିମିଳିପାଳରେ ଚାଲିଛି ଅବାଧ ବାଘ ଶିକାର। ଆଜି ପୁଣି ଏକ ବାଘଛାଲ ଜବତ ହେବା ଏହାକୁ ପ୍ରମାଣିତ କରୁଛି। ମାସକ ପୂର୍ବରୁ ମଧ୍ୟ ଏକ ବାଘଛାଲ ଜବତ ହୋଇଥିଲା। ଆଜି ବାଘଛାଲ ସହ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ଏ ଘଟଣାରେ ସଂପୃକ୍ତ ଦୁୁଇଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି।

ଆଜି ଅପରାହ୍‌ଣରେ କପ୍ତିପଦା ରେଞ୍ଜ୍‌ ଅଧୀନ ଶରତ ଘାଟି ତଳେ ଥିବା ପୁରୁଣାପାଣି ଗ୍ରାମରେ ଏହି ବାଘଛାଲ ଓ କାତି ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଡଙ୍ଗାଡାହି ଗ୍ରାମର ଲକ୍ଷ୍ମଣ ନାଏକ (୩୫) ଓ ପୁରୁଣାପାଣି ଗ୍ରାମର ବାହାଦୁର ବେହେରା (୪୨)। ବାଇକ ନମ୍ବର ଓଆର-୧୧-ଏଫ୍‌-୨୨୭୧ରେ ସେମାନେ ବାଘଛାଲ ଓ ବଜ୍ରକାପ୍ତା କାତି ନେଇ ବିକ୍ରି କରିବାକୁ ଯାଉଥିଲେ। ବାଟରେ ବନ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଛାଲଟି ଏକ କଲରାପତରିଆ ବାଘର। ଏହାର ଲମ୍ବ ୭ ଫୁଟ୍‌ ୮ ଇଞ୍ଚ ଓ ଓସାର ଏକଫୁଟ୍‌ ୬ ଇଞ୍ଚ। ଜବତ ବଜ୍ରକାପ୍ତା କାତିର ଓଜନ ୩ କିଲୋ ୪ ଶହ ଗ୍ରାମ୍‌।

ଗତ ମାସ ୨୭ ତାରିଖରେ ଉଦଳା ରେଞ୍ଜ ଅଧୀନ ସୋନପୋଖରୀ ଅଞ୍ଚଳରୁ ମଧ୍ୟ ଏକ ବାଘ ଛାଲ ଜବତ ହୋଇଥିଲା। ବାଘ ଛାଲ ବ୍ୟବସାୟରେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ଲୋକଙ୍କ ପୁଅ ଜଡ଼ିତ ଥିବା ଜାଣିବାକୁ ମିଳିଛି। ବାଘଛାଲ ଜବତ ଘଟଣାରେ ବାରିପଦା ବନଖଣ୍ଡର ଏସିଏଫ୍‌ ଅରୁଣ କୁମାରଙ୍କୁ ପଚାରିବାରୁ ସେ ବିରକ୍ତି ପ୍ରକାଶ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଡ଼ାଇ ଯାଇଥିଲେ। କିନ୍ତୁ ଶିମିଳିପାଳ ସୁରକ୍ଷିତ ଥିବା କହିଥିଲେ। ଯଦି ଶିମିଳିପାଳ ସୁରକ୍ଷିତ ରହିଛି ତେବେ କପ୍ତିପଦା ଉପଖଣ୍ଡରେ ବାରମ୍ବାର ବାଘ ଛାଲ କିଭଳି ଜବତ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର