ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ଟିକାୟତପୁର ତଳସାହିରେ ଚାରି ଜଣ ଯୁବକ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଜଣେ ବିବାହିତା ଆଦିବାସୀ ମହିଳାଙ୍କ ଘରେ ପଣି ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ଏଥିସହିତ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିବା ସମୟର ଦୃଶ୍ୟକୁ ମଧ୍ୟ ମୋବାଇଲରେ ଉଠାଇଥିବାର ଜଣାପଡ଼ିଛି। ଏ ସଂପର୍କରେ କାହରିକୁ କହିଲେ ଏହି ଫଟୋ ଓ ଭିଡିଓକୁ ଭାଇରାଲ କରିଦେବେ ବୋଲି ସେମାନେ ଧମକ ଦେଇଥିବାରୁ ମହିଳା ଜଣକ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ସେ ସାହସ ଜୁଟାଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ଦଫା ୪୫୭, ୩୯୪, ୩୯୭, ୩୭୬, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୮୫/୨୦୧୮ ରୁଜୁ କରି ତଦନ୍ତ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ହେତୁ ସେ ନିଜର ବୃଦ୍ଧ ଧରମ ବାପାଙ୍କ ସହିତ ରହୁଥିଲେ। ଏହାର ସୁଯୋଗ ନେଇ ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ବୃଦ୍ଧ ଧରମ ବାପା ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ମହିଳାଙ୍କ ଘରୁ ଚୋରି ହୋଇଥିଲା। ପୁଣିଥରେ କାଲି ହଠାତ୍ ଦୁର୍ବୃତ୍ତମାନେ ଘରେ ପଶି ଘରେ ଥିବା ସ୍ୱଳ୍ପ ଟଙ୍କା ଲୁଟି ନେବା ସହିତ ମହିଳା ଜଣଙ୍କୁ ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ମହିଳା ଜଣକ ଏହି ଯୁବକମାନଙ୍କୁ ଚିହ୍ନି ନଥିବାର କହିଛନ୍ତି। ସେମାନେ କୌଣସି ମୋଟର ସାଇକେଲ କିମ୍ବା ଚାରି ଚକିଆ କିମ୍ବା କେଉଁଥିରେ ଆସିଥିଲେ ସେକଥା ମଧ୍ୟ ମହିଳା ଜଣକ ଜାଣି ପାରି ନାହାନ୍ତି। ଏହି ଅଭିଯୋଗ ହେବା ପରେ ବାରିପଦା ଜିଲ୍ଲା ମୁଖ୍ୟାଳୟରୁ ସାଇଣ୍ଟଫିକ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ସନ୍ଧାନୀ କୁକୁର ସେପରି କୌଣସି ବଳିଷ୍ଠ ପ୍ରମାଣ ତଦନ୍ତକାରୀ ଅଧିକାରୀ ମାନଙ୍କୁ ଯୋଗାଇ ପାରିନାହିଁ। ପୀଡିତା ମହିଳାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।