ପାଗଳ ପୁଅର ନାରକୀୟ କାଣ୍ଡ : ମା’ଙ୍କୁ ମାରି ଜାଳି ଦେଲା

ରରୁଆଁ : ଜଣେ ମାନସିକ ବିକୃତ ପୁଅ ନିଜ ଜନ୍ମ କଲା ମା’ଙ୍କୁ ଜୀବନରୁ ମାରି ଶେଷରେ ଜାଳି ଦେଇଛି। ଏଭଳି ଲୋମ ଟାଙ୍କୁରା ଘଟଣା ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ୭ନଂ. ଓ୍ଵାର୍ଡରେ ଘଟିଛି। ରରୁଆଁ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ଘଟଣାରୁ ପ୍ରକାଶ, ରରୁଆଁ ଗ୍ରାମର ମକରା ପାତ୍ର(୨୦) ଗତକାଲି ରାତି ପ୍ରାୟ ୧୧ଟା ବେଳେ ମାଆ ଆଲମଣି ପାତ୍ର(୪୫)ଙ୍କ ସହିତ ଝଗଡ଼ା କରିଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ରାତି ପ୍ରାୟ ୧୨ଟା ବେଳକୁ ପାଗଳ ମକରା ମାନସିକ ଭାରସାମ୍ୟ ହରାଇ ଆଲମଣିଙ୍କ ତଣ୍ଟିକୁ ଜୋର୍‌ରେ ଚିପି ଧରିଥିଲା। ତାଙ୍କର ପ୍ରାଣବାୟୁ ଉଡ଼ିଯିବା ପରେ ଆଲମଣିଙ୍କୁ ଘରଠାରୁ ପ୍ରାୟ ୫୦ ମିଟର ଦୂରକୁ ଘୋଷାଡ଼ି ନେଇଥିଲା। ସେଠାରେ କିରାସିନି ଢାଳି ମା’ଙ୍କୁ ନିଆଁ ଲଗାଇ ଜାଳି ଦେଇଥିଲା।

ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ଖବରପାଇ ରରୁଆଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ମକରାକୁ ଗିରଫ କରି ଥାନାରେ ଅଟକ ରଖିଛି। ଏନେଇ ଥାନାରେ ୭୩/୧୭ନଂ.ରେ ମାମଲା ରୁଜୁ ହୋଇଛି। ଆଜି ସକାଳ ୧୦ଟା ବେଳେ କରଂଜିଆ ଏସଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ, ରରୁଆଁ ଥାନା ଆଇଆଇସି ପ୍ରଦୀପ କୁମାର କେରକେଟା, ଏସ୍‌ଆଇ ଶକ୍ତିଧର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରାଇରଂଗପୁର ଆଡିସିନାଲ ଏସ୍‌ପି ଅଶୋକ ପଟ୍ଟନାୟକ ଥାନାକୁ ଆସି ଘଟଣା ସଂପର୍କରେ ତର୍ଜମା କରିଥିଲେ।

ସୂଚନାଯୋଗ୍ୟ, ୧୯ ବର୍ଷ ପୂର୍ବେ ସ୍ୱାମୀ ପ୍ରତାପ ପାତ୍ରଙ୍କୁ ଛାଡ଼ି ରରୁଆଁସ୍ଥିତ ବାପଘରେ ପୁଅ ମକରା ସହିତ ଆଲମଣି ରହୁଥିଲେ। ଏବେ ପ୍ରତାପ କରଂଜିଆରେ ରହୁଛନ୍ତି। ତେବେ ମାନସିକ ଅବସ୍ଥାରେ ସାମାନ୍ୟ ଉନ୍ନତି ହେବା ପରେ ମକରା ଗୋଟିଏ ସିମେଣ୍ଟ ଦୋକାନରେ କାମ କରୁଥିଲା।

ସମ୍ବନ୍ଧିତ ଖବର