ଶାନ୍ତି ଫେରାଇ ଆଣିବାକୁ ବୈଠକ

ଭାଲଡୁଙ୍ଗୁରୀ ଗ୍ରାମବାସୀଙ୍କ ଦ୍ୱାରା ଜବରଦଖଲ ଉଛେଦ ଘଟଣା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଭାଲଡୁଙ୍ଗୁରିଠାରେ ସେପ୍ଟେମ୍ବର ୨୨ ତାରିଖ ଠାରେ ଗ୍ରାମବାସୀଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ କରି ୬ ପରିବାରର ୧୫ ବଖରା ଘର ଭାଙ୍ଗି ଦିଆଯାଇଥିଲା। ଏଥିରେ ୫ଟି ପରିବାର ଅସବର୍ଣ୍ଣ ସଂପ୍ରଦାୟ ଥିବା ବେଳେ ଜଣେ ଚଷା ସଂପ୍ରଦାୟର ଥିଲେ। ଏହି ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଗ୍ରାମର ୩୭ଜଣ ଗିରଫ ହୋଇ ଜେଲରେ ଥିବା ବେଲେ ୧୧ଜଣ ଫେରାର ଥିବା ଜଣାଯାଇଛି। ଏଣୁ ପିଡୀତା ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ବୁଧବାର ଉପଜିଲ୍ଲାପାଳ ଗୋପୀନାଥ ସାରକାଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟିର ଏକ ବୈଠକ ଭାଲଡୁଙ୍ଗୁରି ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଉପଜିଲ୍ଲାପାଳ ଶ୍ରୀ ସାରକା, ଏସ୍‌ଡିପିଓ ପ୍ରସନ୍ନ ବିଶ୍ୱାଳ, ବିଡିଓ ବିଜୟ ସଏ, ତହସିଲଦାର ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ସୁବଳୟା ଆଇଆଇସି ଗ୍ରାସ ମୋର ବାର୍ଲା, ଜିଲ୍ଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ, ବହଲପଦର ସରପଞ୍ଚ ଚନ୍ଦ୍ରକାନ୍ତି ଦନ୍ତା, ପଞ୍ଚାୟତ ସମିତି ମେମ୍ବର ପୀତାମ୍ବର ସାହୁ, ସାମାଜିକ କର୍ମୀ ନିଳମଣୀ ଜଗଦଲା ଓ ଜ୍ୟୋତିର୍ମୟ ନାଗ, ଓ୍ଵାଡ ସଭ୍ୟ ସୀତାଳୀ ସାହୁ, ସହକାର ଜିଲ୍ଲା ମଙ୍ଗଳ ଅଧିକାରୀ ଘନଶ୍ୟାମ ପଧାନ, ମଙ୍ଗଳ ସଂମ୍ପ୍ରସାରଣ ଅଧୀକାରୀ ଜଗତ ଜୀବନ ଅଧିକାରୀ, ଆର୍‌ଆଇ ଜରାସିଂହ ବରିହା, ବହଲପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଭୋଇ ଉପସ୍ଥିତ ଥିବା ବେଳେ ପୀଡିତା ପରିବାରଙ୍କ ମଧ୍ୟରୁ ଲକ୍ଷ୍ମଣ ଜଗଦଲା, ଶ୍ୟାମ ସିଂ, ସୁରୁବାବୁ ନାଏକ, ଦିନବନ୍ଧୁ ସିନ୍ଦିରିଆ ଓ ସନ୍ତୋଷ ଗର୍ଡିଆ, ଗ୍ରାମବାସୀଙ୍କ ତରଫରୁ ଘନଶ୍ୟାମ ସାହୁ , ଉଚ୍ଚେ ଦେହୁରୀ, ବିଶେଶ୍ୱର ସାହୁ, ଭଗବାନ ସାହୁ, ସଂଜିତ ସାହୁ ପଙ୍କଜ ଧଳ ଓ ସୌମିତ୍ରୀ ପଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

ଗ୍ରାମ ତଥା ଉଭୟ ପକ୍ଷ ମଧ୍ୟରେ ଥିବା ତିକ୍ତତାକୁ ଭୁଲି ଗ୍ରାମରେ ଶାନ୍ତି ବଜାୟ ରଖିବାକୁ ଉପଜିଲ୍ଲାପାଳ ଏବଂ ଏସଡିପିଓ ଶ୍ରୀ ବିଶ୍ୱାଳ ଉଭୟପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଉଭୟପକ୍ଷ ମଧ୍ୟରେ ଗଣ୍ଡଗୋଳ ନକରିବାକୁ ଉଭୟ ପକ୍ଷ ରାଜି ହୋଇଥିବା ଜଣାଯାଇଛି। ଗ୍ରାମରେ ସ୍ୱାଭବିକ ଅବସ୍ଥା ଫେରାଇ ଆଣିବାକୁ ସମସ୍ତ ପକ୍ଷ କାମ କରିବେ ବୋଲି ସଭାରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର