ମାଧ୍ୟାହ୍ନ ଭୋଜନରେ ଝିଟିପିଟି, ୧୭ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ସଦର ବ୍ଲକ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ବୁଧବାର ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିଲା। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିବା ଖାଦ୍ୟକୁ ଖାଇଥିବା ୧୭ରୁ ଊର୍ଧ୍ୱ ଛାତ୍ରଛାତ୍ରୀ କାଳେ ଅସୁସ୍ଥ ହୋଇପଡ଼ିବେ ସେ ଭୟରେ ସେମାନଙ୍କୁ ସଙ୍ଗେସଙ୍ଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ୧୭ରୁ ଊର୍ଧ୍ୱ  ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ ଛାତ୍ର ଥିବା ବେଳେ ୧୦ ଜଣେ ଛାତ୍ରୀ ଅଛନ୍ତି।

ସୂଚନାଯୋଗ୍ୟ, ସବୁଦିନ ଭଳି ଆଜି ବି ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଷା ଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଜଣେ ଛାତ୍ରଙ୍କ ଖାଦ୍ୟ ଥାଳିରୁ ଝିଟିପିଟି ବାହାରିଥିଲା। ଏହାପରେ ଏହି ଖାଦ୍ୟ ଖାଇଥିବା ୧୭ଜଣ ଛାତ୍ରଛାତ୍ରୀ କାଳେ ଅସୁସ୍ଥ ହୋଇପଡ଼ିବେ ସେ ଭୟରେ ସେମାନଙ୍କୁ ସଙ୍ଗେସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ, ଗ୍ରାମବାସୀ ଓ ପରିବାର ଲୋକେ ମିଶି ବାଲେଶ୍ୱର ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅବସ୍ଥା ଠିକ୍‌ ଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

ତେବେ ମଧ୍ୟାହ୍ନ ଭୋଜନରେ କିପରି ଝିଟିପିଟି ପଡ଼ିଲା, ରନ୍ଧା ଦାୟିତ୍ୱରେ କିଏ ଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର