ନୟାଗଡ଼: ଆତ୍ମହତ୍ୟା କରିବାକୁ ଯାଉଥିବା ୨ ନାବାଳିକା ଉଦ୍ଧାର

ଓଡ଼ଗାଁ: ଆତ୍ମହତ୍ୟା କରିବା ପୂର୍ବରୁ ୨ ଜଣ ନାବାଳିକାକୁ ରବିବାର ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲାର ଓଡଗାଁ ଅଞ୍ଚଳରେ ପଥରଖଣିକୁ ଆତ୍ମହତ୍ୟା କରିବା ପାଇଁ ଯାଇଥିବା ୨ଜଣ ନାବାଳିକା ଭଉଣୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ପୁଲିସରେ ଜିମା ଦେଇଛନ୍ତି । ସେମାନେ ଯଥାକ୍ରମେ ଦଶମ ଓ ନବମ ଶ୍ରେଣୀର ଛାତ୍ରୀ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି। ସେମାନଙ୍କ ଘର ନୟାଗଡ ମେଡିକାଲ ପାଖରେ ଓ ବାପା ମାଆ ମରିଯିବା ପରେ ସେମାନେ ପୋଷ୍ୟ କନ୍ୟାଭାବେ ଜଣେ ସଂପର୍କୀୟଙ୍କ ଘରେ ରହୁଛନ୍ତି।

ତେବେ ସେମାନଙ୍କୁ ପାଳୁଥିବା ପରିବାର ଲୋକେ ନିୟମିତ ନିର୍ଯାତନା ଦେଉଥିବାରୁ ଏଥିରେ ହତୋତ୍ସାହିତ ହୋଇ ଆଜି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ପଥର ଖଣିକୁ ଯାଇଥିବା ବେଳେ ନିକଟସ୍ଥ ଜମିରେ କାମ କରୁଥିବା କିଛି ଚାଷୀ ତାଙ୍କୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଓଡଗାଁ ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି ।

ଉଦ୍ଧାର ହୋଇଥିବା ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ହାତ ତତଲା ପାଣିରେ ପୋଡି ଫୋଟକା ହୋଇଯାଇଛି । ମୋବାଇଲରେ କଥା ହେବାକୁ ନେଇ ଓ ଘରକାମ ଠିକ୍‌ରେ ନକରିବାରୁ ପାଳିତ ମାଆ ତତଲା ପାଣି ପକାଇ ଦେଇଥିବା ଜଣେ ଝିଅ କହିଛି । ତେବେ ୨ ଭଉଣୀଙ୍କ କଥାରେ ତାଳମେଳ ରହୁନଥିବାରୁ ସଠିକ୍‌ ତଥ୍ୟ ମିଳିପାରି ନାହିଁ ବୋଲି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତିି । ନୟାଗଡ ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ଓଡଗାଁରେ ପହଞ୍ଚ ସେମାନଙ୍କୁ ପଚରା ଉଚରା କରୁଛନ୍ତିା ତଦନ୍ତ ପରେ ସଠିକ୍‌ ତଥ୍ୟ ମିଳିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର