କାଜୁ ବଗିଚାରୁ ନିଖୋଜ ନାବାଳିକାଙ୍କ ଉଲଗ୍ନ ମୃତଦେହ ଜବତ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପାରାଦୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡ଼ହର୍ଷିପୁର ଗାଁରେ ଜଣେ ୧୦ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ଠାରୁ ନିଖୋଜ ଥିବା ଏହି ନାବାଳିକାଙ୍କ ଉଲଗ୍ନ ମୃତଦେହ ଜଙ୍ଗଲରୁ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗଡ଼ହର୍ଷିପୁର ଗାଁର ଜଣେ ୧୦ ବର୍ଷ ନାବାଳିକା ଅପରାହ୍ଣ ୪ଟା ପରଠାରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଆଜି ସକାଳୁ କେତେକ ଲୋକ ଶୌଚ ହେବା ପାଇଁ କାଜୁ ବଗିଚା ଭିତରକୁ ଯାଇଥିିବା ବେଳେ ସେଠାରେ ନାବାଳିକାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ଏ କଥା ଗାଁରେ ପ୍ରଘଟ ହୋଇଯିବାରୁ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାରିପାଶ୍ୱିକ ପରିସ୍ଥିତିକୁ ଲକ୍ଷ୍ୟ କରି ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି। କୌଣସି ଦୁର୍ବୃତ୍ତ ନାବାଳିକାଙ୍କୁ ପ୍ରଲୋଭିତ କରି ଅପହରଣ କରି ନେଇ ଏହି କୁକର୍ମ କରିଛି ବୋଲି ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର