ମାଲ ପରିବହନ ବିବାଦ: ବ୍ୟବସାୟୀ-ଟ୍ରକ୍‌ ମାଲିକ ମୁହାଁମୁହିଁ

ରାଉରକେଲା: ବନ୍ଧମୁଣ୍ଡା ଆର୍‌ଏସ୍‌ପି ଷ୍ଟକ୍‌ୟାର୍ଡରେ ମାଲ ପରିବହନ ନେଇ ଆଜି ରାଉରକେଲା ବଣିକ ସଂଘ, ବେଦବ୍ୟାସ ଟ୍ରକ ସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବଣିକ ସଂଘର କିଛି ସଭ୍ୟ ପ୍ରାୟ ୧୦ରୁ ଅଧିକ ଟ୍ରେଲର ନେଇ ଷ୍ଟକ୍‌ୟାର୍ଡକୁ ପଶିବାକୁ ଉଦ୍ୟତ ଦେଉଥିଲେ। ବିଶ୍ରାଛକ ବନ୍ଧମୁଣ୍ଡା ରାସ୍ତାରେ ଟ୍ରକ ସଂଘର କର୍ମକର୍ତ୍ତାମାନେ ଟ୍ରେଲଗୁଡିକୁ ଆଗକୁ ଯିବାକୁ ଦେଇ ନଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ମୁହାଁମୁହାଁ ହୋଇଥିଲା। ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ପହଞ୍ଚି ଉଭୟ ସଂଘର କର୍ମକର୍ତ୍ତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମାତ୍ର ବଣିକ ସଂଘର କିିଛି କର୍ମକର୍ତ୍ତା ଟ୍ରକ ସଂଘ ବିରୋଧରେ ମାମଲା ଦେବାକୁ ଥାନାରେ ପହଞ୍ଚିଥିଲେ। ଖବର ପାଇବା ପରେ ଟ୍ରକ ସଂଘର କର୍ମକର୍ତ୍ତାମାନେ ଥାନାରେ ସେମାନଙ୍କ ନାଁରେ ଅନୁରୂପ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗ ଗ୍ରହଣ ନକରି ଉଭୟଙ୍କୁ ବୁଝାସୁଝା କରି ସେଠାରୁ ପଠାଇଥିଲେ। ସ୍ଥାନୀୟ ଟ୍ରକଗୁଡିକୁ ମାଲ ପରିବହନ ପାଇଁ ପ୍ରାଥମିକତା ଦେବା। ୧୨ ଚକିଆ ଟ୍ରକରେ ଟନ୍‌ ପିଛା ୨୬୦ ଟଙ୍କାରେ ମାଲ ପରିବହନ କରିବାକୁ ବେଦବ୍ୟାସ ଟ୍ରକ ସଂଘ ପକ୍ଷରୁ ରାଉରକେଲା ବଣିକ ସଂଘକୁ ପ୍ରସ୍ତାବ ଦେଇଥିଲେ। ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆ ନଯିବାରୁ ଗତ ୧ ତାରିଖରୁ ଟ୍ରକ ସଂଘ ପକ୍ଷରୁ ବନ୍ଧମୁଣ୍ଡା ଆରଏସ୍‌ପି ଷ୍ଟକ୍‌ ୟାର୍ଡ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଯେ ପର୍ଯ୍ୟନ୍ତ ସ୍ଥାନୀୟ ଟ୍ରକଗୁଡିକୁ ମାଲ ପରିବହନ ପାଇଁ ଅନୁମତି ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅପରପଟେ ୮ ତାରିଖ ପର୍ଯ୍ୟନ୍ତ ବଣିକ ସଂଘ ଆଲୋଚନା କରିବାକୁ ନ ଆସି ନଥିଲା। ଆଜି ପରିବହନ ପାଇଁ ଜୋରଜବରଦସ୍ତ ଟ୍ରେଲର ଭର୍ତ୍ତିକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ସତ୍ୱେ ଜିଲ୍ଲା ପ୍ରଶାସନ ଘଟଣା ହସ୍ତକ୍ଷେପ କରୁ ନଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର