ଭଲ ଖବର: ଆଜି ବି ମାନବିକତା ବଞ୍ଚିଛି, ରାସ୍ତାରୁ ପାଇଥିବା ମନୀପର୍ସ ଫେରେଇ ଦେଲେ ନାଜୁର ସାହେବ

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସମାଜରେ ଆଜିବି ଭଲ ମଣିଷ ଅଛନ୍ତି, ଯାହାଙ୍କୁ କୌଣସି ଲୋଭ ଗ୍ରାସ କରି ନ ଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଘୁ.ଉଦୟଗିରି ସହରର ୫ନଂ ୱାର୍ଡ ଅନ୍ତର୍ଗତ କ୍ଲବ ସାହିର ବାସିନ୍ଦା ଏମଡ଼ି ନାଜୁର ସାହେବ। ସେ ସାହିବ ନାମରେ ବେଶ ପରିଚିତ। ସେ ଜଣେ ଗରିବ ଅସହାୟ ବ୍ୟକ୍ତି। ବୟସ ୮୦ ଛୁଇଁଲାଣି। ତଥାପି ନିଜେ ପରିଶ୍ରମ କରି ଚଳୁଛନ୍ତି। ନିଜର ଏକ ସାଇକେଲ ମରାମତି ଦୋକାନଟିଏ ଅଛି। ଯେତେ କଷ୍ଟ ହେଲେ ମଧ୍ୟ ସେ ନିଜ କଷ୍ଟ ଅର୍ଜିତ ଧନରେ ନିଜ ଦୈନିକ ଗୁଜରାଣ ମେଣ୍ଟାଇ ଥାଆନ୍ତି।

ଅଭାବ ଲାଗିଥିଲେ ମଧ୍ୟ ତାଙ୍କୁ ଲୋଭ ଗ୍ରାସ କରିନି। ତାର ଉଦାହରଣ ହେଉଛି ଗତ ଦୁଇ ଦିନ ତଳେ ସେ ଗୋଟିଏ ମନୀପର୍ସ ସ୍ଥାନୀୟ ସହରର ଆହାର କେନ୍ଦ୍ର ସମୁଖରୁ ପାଇଥିଲେ। ସେଇ ମନୀପର୍ସରେ ତିନି ହଜାର ଟଙ୍କା, ଏଟିଏମ କାର୍ଡ ଏବଂ କିଛି ଜରୁରୀ କାଗଜ ପତ୍ର ଥିଲା। ସେ ତାହା ଦେଖି ସ୍ଥାନୀୟ ଜଣେ ବ୍ୟବସାୟୀ ନାରାୟଣ ସାହୁଙ୍କୁ ଦେଇଦେଇ ଥିଲେ। ଏଇଟା ଯାହାର ହୋଇଥିବ ତାକୁ ଦେଇଦେବ ବୋଲି କହିଥିଲେ।

ତା’ପର ଦିନ ନାଜୁର ସାହେବ ଖବର ପାଇଲେ ଯେ ସେ ପାଇଥିବା ମନୀପର୍ସଟି କଚେରୀ ସାହିର ଜଣେ ବରିଷ୍ଠ ନାଗରିକ ଶତୃଙ୍ଘ ବେହେରାଙ୍କର। ସଂଗେ ସଂଗେ ତାଙ୍କ ଘରେ ପହଞ୍ଚି ତାଙ୍କ ମନୀପର୍ସ ତାଙ୍କୁ ଫେରେଇ ଦେଇଥିଲେ। ମନୀପର୍ସ ଫେରେଇ ନାଜୁର ସାହେବ ଏକ ଉଦାହରଣ ପାଲଟିଛନ୍ତି। ଆଜିର ସମାଜରେ ମଣିଷ ଟଙ୍କା ପାଇଁ ଅନ୍ୟର ତଣ୍ଟି କାଟୁଥିବା ବେଳେ ଜଣେ ବୟସ୍କ ବୟବୃଦ୍ଧଙ୍କ ଏଭଳି ମହନୀୟ କାର୍ଯ୍ୟ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର