ମା’ ସହିତ ନିଆଁରେ ପୋଡି ହୋଇ ଦୁଇଝିଅଙ୍କ ମୃତ୍ୟୁ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ମଗରଗୁଡା ଗ୍ରାମରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗୋଟିଏ ପରିବାରର ମା’ ସମେତ ଦୁଇ ଝିଅଙ୍କର ନିଆଁ ପୋଡି ଯିବା ହେତୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ୨୬ବର୍ଷିଆ ଝୁଲିମା ପ୍ରଧାନ ଓ ତାଙ୍କ ୩ବର୍ଷର ବଡ଼ ଝିଅ ସୋନାଲି ପ୍ରଧାନ ଓ ୯ମାସର ସାନ ଝିଅ ରୁପାଲି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଘୁ. ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ମଗରଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସକାଳ ୮ଟାରେ ଝୁଲିମା’ଙ୍କ ଶାଶୁ କବାଟ ଖୋଲି ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ପାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଲକ୍ଷ୍ମଣ ସେଠି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ମୃତ ଝୁଲିମାଙ୍କ ସ୍ୱାମୀ ବିମଳ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ତେବେ ଏଭଳି ଘଟଣା କେମିତି ଘଟିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ପୁଲିସ ତଦନ୍ତ ରିପୋର୍ଟ ଆସିଲା ପରେ ପରେ ପ୍ରକୃତ ସତ କ’ଣ ତାହା ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର