ବାରିପଦା: ମା ସହିତ ୯ ମାସର ଶିଶୁପୁତ୍ର ଜୀବନ୍ତ ଦଗ୍ଧ

ବାରିପଦା: ଗତକାଲି ବିଳମ୍ବିତ ରାତିରେ ବାରିପଦା ସଦର ଥାନା ଅନ୍ତର୍ଗତ ବାଲିମୁଣ୍ଡୁଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୨୦ ବର୍ଷ ବୟସ୍କା ମା ନିଜ ର ୯ ମାସର ଶିଶୁପୁତ୍ର ସହିତ ଜୀବନ୍ତ ଜଳିଯାଇଛନ୍ତି। ଆଜି ସକାଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ମୃତଦେହ ଦୁଇଟିକୁ ଜବତ କରି ପୁଲିସ ବ୍ୟବଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାରପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗାଁର ସୁନାରାମ ସିଂହ (୨୨ ବର୍ଷ)ଙ୍କର ଦୁଇ ବର୍ଷ ତଳେ ଠାକୁରମଣି ସିଂହ(୨୦ ବର୍ଷ)ଙ୍କ ସହିତ ବିବାହ ହୋଇଥିଲା। ସେମାନଙ୍କର ଆୟୁଷ ନାମରେ ଏକ ୯ ମାସର ଶିଶୁପୁତ୍ର ଥିଲା। ତେବେ ଗତକାଲି ଦିନ ପ୍ରାୟ ୧୧ଟା ବେଳେ ଠାକୁରମଣି ସିଂହ ନିଜର ୯ ମାସର ଶିଶୁପୁତ୍ର ଆୟୁଷଙ୍କୁ ନେଇ ନିଜ ପିଉସୀ ଘର ବାଲମୁଣ୍ଡୁଳି ଯାଇଥିଲେ। ପିଉସୀ ଘରର ସମସ୍ତେ ଗତକାଲି ରାତିରେ ଜଣେ ସମ୍ପର୍କୀୟଙ୍କ ଅସୁସ୍ଥତା କାରଣରୁ ଡାକ୍ତରଖାନାକୁ ଯାଇଥିିବା ବେଳେ ଘରେ ଠାକୁରମଣି ଓ ତାଙ୍କ ୯ ମାସର ଶିଶୁପତ୍ରଙ୍କୁ ଧରି ରହିଥିଲେ। ତେବେ ଗତ କିଛିଦିନ ହେବ ଠାକୁରମଣି ମାନସିକ ଅସୁନ୍ତଳନ ଅବସ୍ଥାର ଥିଲେ। ଗତକାଲି ରାତି ପ୍ରାୟ ୧୨ଟା ବେଳେ ଠାକୁରପଣି ଘର ଭିତରେ ନିଜ ଶିଶୁପୁତ୍ରକୁ ଧରିଥିବା ଅବସ୍ଥାରେ ଜୀବନ୍ତ ଜଳି ଯାଇଥିବା ଦେଖିବାକୁ ମିଳିଛି। ହୁଏତ ମାନସିକ ବିକୃତି କାରଣରୁ ଠାକୁରମଣି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଠାକୁରମଣି ଓ ତାଙ୍କ ଶିଶୁପୁତ୍ରଙ୍କ ମୃତ୍ୟୁର କାରଣର ଅସ୍ପଷ୍ଟ ଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର