ଗୁଣି ଗାରେଡି ସନ୍ଦେହରେ ଟାଙ୍କିଆରେ ହାଣି ପଡୋଶୀଙ୍କୁ ହତ୍ୟା କରିବା ପରେ ଆତ୍ମସମର୍ପଣ କଲା ହତ୍ୟାକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍‌ କରଡାପାଳ ପଞ୍ଚାୟତ ପଟୁକାମହୁଲ ଗ୍ରାମରେ ଗତକାଲି ଅର୍ଥାତ୍‌ ସୋମବାର ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ଟାଙ୍କିଆରେ ହାଣି ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ହତ୍ୟାକାରୀ। ମଙ୍ଗଳବାର ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରି ନିଜ ଦୋଷ ସ୍ୱୀକାର କରିଥିବା କଥା ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଗତକାଲି ନିରାଶ ପୂର୍ତ୍ତି କ୍ଷେତକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ। ଘରଲୋକ ନିରାଶ କେଉଁଠାରେ ମଦ ପିଇ ଶୋଇ ଯାଇଥିବା ଭାବି ରାତିରେ ଆଉ ଖୋଜା ଖୋଜି ନକରି ଶୋଇ ପଡ଼ିଥିଲେ। ଆଜି ସକାଳୁ ନିରାଶଙ୍କ ପରିବାର ପୁଲିସ ଷ୍ଟେସନ୍‌ରେ ନିଖୋଜ ଅଭିଯୋଗ ନେଇ ପହଞ୍ଚି ଥିଲେ। ନିରାଶ ପରିବାର ପୁଲିସ ଷ୍ଟେସନ୍‌ରେ ପହଞ୍ଚିବା କଥା ଶୁଣିବା ପରେ ହତ୍ୟାକାରୀ ଗୁନା ସାୟା ଭୟରେ ତାଙ୍କ ପଛେପଛେ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଆତ୍ମସମର୍ପଣ କରିଥିଲା।

ପୁଲିସ ଗୁନାକୁ ହତ୍ୟାର କାରଣ ପଚାରିବାରୁ ସେ କହିଥିଲା, ନିରାଶ ଗୁଣି ଗାରେଡି ଶିଖିଛି। ସେ ଆମ ପରିବାର ଉପରେ ଗୁଣି କରିଥିବା ହେତୁ ମୋର ପରିବାରେ ପିଲା ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନାହିଁ। ତେଣୁ ମୁଁ ତାକୁ ଗତକାଲି କ୍ଷେତକୁ ଯିବା ଦେଖିଥିଲି। ଏହାପରେ ତାର ପଛେପଛେ ଯାଇ ଟାଙ୍କିଆରେ ହାଣି ହତ୍ୟା କରିଛି।

ସମ୍ବନ୍ଧିତ ଖବର